ଦେଶଦ୍ରୋହ ଆଇନର ପୁନର୍ବିଚାର କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪କ)ର ପୁନର୍ବିଚାର କରିବାକୁ ଘୋଷଣା କରିଛନ୍ତି । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି ।

ଏହି ସତ୍ୟପାଠରେ କୁହାଯାଇଛି ଯେ, ଆଜାଦିକା ଅମୃତ ମହୋତ୍ସବର ମୂଳଭାବନା ଓ ନାଗରିକ ସ୍ବାଧୀନତା ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ର ସରକାର ‘ଆଇପିସି ଧାରା ୧୨୪କ’ ର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ସମୟ ଅପଚୟ କରିବା ଉଚିତ ନୁହେଁ  ଓ ହେବାକୁ ଥିବା ସମୀକ୍ଷାକୁ ଅପେକ୍ଷା କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି  ।

ଆଜିର ସତ୍ୟପାଠର ବିପରୀତ କେନ୍ଦ୍ର ସରକାର ଗତ ୭ ତାରିଖରେ ସୁପ୍ରିମକୋର୍ଟରେ ଏହି ଆଇନ ସପକ୍ଷରେ ମତ ରଖିଥିଲେ । ୧୯୬୨ରେ ସୁପ୍ରିମକୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ ଏହି ଆଇନର ବୈଧତା ସପକ୍ଷରେ ରାୟ ଦେଇଥିଲେ ବୋଲି ସରକାର କହିଥିଲେ ।

କେଦାର ନାଥ ସିଂ ବନାମ ବିହାର ରାଜ୍ୟ ମାମଲାରେ ପକ୍ଷଭୁକ୍ତ ହୋଇଥିବା  କେନ୍ଦ୍ର ସରକାର କହିଥିଲେ ଯେ ଦେଶଦ୍ରୋହ ଆଇନ ଏକ ଉତ୍ତମ ଆଇନ ଓ ଏହାର ପୁନର୍ବିଚାରର ଆବଶ୍ୟକତା ନାହିଁ ।

କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରମାନଙ୍କ ଦ୍ବାରା ଏହି ଆଇନର ଦୁରୁପଯୋଗ ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇଆସୁଛି ।

 

ସମ୍ବନ୍ଧିତ ଖବର