ଶତ୍ରୁ ଦେଶ ସହ ସୁଧୁରିବ କି ସମ୍ପର୍କ?

ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଦେଶର ଘରୋଇ କ୍ଷେତ୍ରକୁ ଗ୍ରୀନ୍ ସିଗନାଲ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦେଖା ଦେଇଥିବା ସୀମା ପାର ବାଣିଜ୍ୟ କାରବାର ଖୋଲିବା ନେଇ ଆଶା ଦେଖାଇଛି ପାକିସ୍ତାନ । ଗତ ବୁଧବାର ପାକିସ୍ତାନ ଦେଶର ଘରୋଇ କ୍ଷେତ୍ରକୁ ଭାରତରୁ ଆମଦାନୀ କରିବାକୁ ଅନୁମତି ପ୍ରଦାନ କରିଛି । ଭାରତରୁ ଧଳାଚିନି ଓ କପା ଆମଦାନୀ କରିବାକୁ ପାକିସ୍ତାନ ସରକାର ଆଶା ପ୍ରକଟ କରିଛନ୍ତି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କରେ ସୁଧାର ଆସିବା ସମ୍ଭାବନା ଦେଖା ଦେଇଛି ।

ଭାରତରୁ ଚିନି ଓ କପା ମଗାଇବ ପାକିସ୍ତାନ । ଘରୋଇ କ୍ଷେତ୍ରକୁ ପାକ୍ ସରକାରଙ୍କ ଅନୁମତି ।ଏ କଥା ଏପରି ଏକ ସମୟରେ ସାମ୍ନାକୁ ଆସିଛି , ଯେତେବେଳେ ଭାରତ ପାକ୍ ମଧ୍ୟରେ ସୀମାରେ ଅସ୍ତ୍ରବିରତି ଉଲଂଘନ, ଆତଙ୍କୀ ଅନୁପ୍ରବେଶକୁ ନେଇ ସ୍ଥିତି ଗରମ ରହିଛି । ପାକିସ୍ତାନ ଭାରତରୁ ଧଳା ଚିନି ଓ କପା ଆମଦାନୀ କରିବାକୁ ଏହାର ଘରୋଇ ଶିଳ୍ପ ସଂସ୍ଥା ଗୁଡିକୁ ଅନୁମତି ଦେବା ପରେ , ଭାରତ ଓ ପାକିସ୍ତାନ ମଧ୍ୟରେ ଆଗକୁ ବାଣିଜ୍ୟ ସଂପର୍କରେ ସୁଧାର ଆସିବା ନେଇ ପାକିସ୍ତାନ ଇଛୁକ ଥିବା ମନେ କରାଯାଉଛି ।

ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ , ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି , କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତାବ ରଖିଥିଲେ । ଫଳାଫଳ ଆଧାରିତ ସମ୍ବାଦ କରିବାକୁ ଇମ୍ରାନଙ୍କ ଚିଠିରେ ଉଲ୍ଲେଖ ରହିଥିଲା । ଏନେଇ ଭାରତ ପରିବେଶ ସୃଷ୍ଟି କରିବାକୁ ଲେଖିଥିଲେ ଇମ୍ରାନ୍ ଖାଁ । ଏହାରି ଭିତରେ ପାକିସ୍ତାନର ଶୀର୍ଷ ଅର୍ଥନୈତିକ ସଂସ୍ଥା ଭାରତରୁ ଧଳା ଚିନି ଓ କପା ଆମଦାନୀକୁ ଏହାର ଘରୋଇ  କ୍ଷେତ୍ରକୁ ଅନୁମତି ପ୍ରଦାନ କରିଥିବା ଜାତୀୟ ଖବର ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ଆସିଛି । ଏପରି ଖବର ଆସିବା ପରେ , କମ୍ ମୂଲ୍ୟରେ ଦିଆଯାଉଥିବା ଭାରତୀୟ ଚିନି ଓ କପା କିଣିବା ପାଇଁ ପାକିସ୍ତାନୀ କ୍ରେତା ଏବେ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି ।

ରମଜାନ୍ ଆଗରୁ ଭାରତରେ ଚିନିର ମୂଲ୍ୟ ହ୍ରାସ ପାଉଥିବା ବେଳେ, ପାକିସ୍ତାନରେ ଏହାର ମୂଲ୍ୟ ବେଶ୍ ବଢିବାରେ ଲାଗିଛି । ଏପରି ସମୟରେ ପଡୋଶୀ ରାଷ୍ଟ୍ର ଭାରତ ଠାରୁ ଚିନି ଓ କପା ଆମଦାନୀ କରି ଠପ୍ ହୋଇଯାଇଥିବା ବାଣିଜ୍ୟ କାରବାରକୁ ପୁଣି ଜୀବନ୍ତ କରିବାକୁ ଯୋଜନା କରୁଛି ପାକିସ୍ତାନ । ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜାମ୍ମୁକାଶ୍ମୀରକୁ ମିଳିଥିଲା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା । ଭାରତ ସରକାରଙ୍କ ଏହି ପଦ କ୍ଷେପ ପରଠାରୁ ବିଚଳିତ ହୋଇ ଉଠିଥିଲା ପାକିସ୍ତାନ । ଏହା ପରଠାରୁ ଭାରତ ସହିତ ସମସ୍ତ ବାଣିଜ୍ୟ ସଂପର୍କ ବନ୍ଦ କରିଦେଇଥିଲା ପାକିସ୍ତାନ । ବର୍ତମାନ ପୁଣି ଥରେ ବାଣିଜ୍ୟ ସଂପର୍କ ଖୋଲିବାକୁ ହଠାତ୍ ଆଗ୍ରହ ପ୍ରକାଶ କରିଛି ।

ଏଫଏଟିଏଫ୍ ଦ୍ୱାରା ଲାଗୁ ହୋଇଥିବା ଅଙ୍କୁଶ ପାକିସ୍ତାନ ଉପରୁ ହଟିନି । ଏପରି ସମୟରେ ଭାରତ ସହିତ ବାଣିଜ୍ୟ ସଂପର୍କ ସୁଧାରି , ପାକିସ୍ତାନ ସାରା ବିଶ୍ୱ ନଜରରେ ନିଜର ଭାବମୂର୍ତି ସୁଧାରିବାକୁ ଉଦ୍ୟମ କରୁଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର