ଲଖିମପୁର ଖେରି ହିଂସା: ମୋ ପୁଅ ଘଟଣାସ୍ଥଳରେ ଥିବା ନେଇ ପ୍ରମାଣ ଦେଲେ ମୁଁ ଇସ୍ତଫା ଦେବି ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଲକ୍ଷ୍ନୌ: ରବିବାର ଦିନ ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ ମୁହଁ ଖୋଲିଲେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର। ଘଟଣା ପରେ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ଏହାକୁ ନେଇ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଘଟଣାସ୍ଥଳରେ ତାଙ୍କ ପୁଅ ଆଶିଷ ଥିବା ବା ଆଶିଷ ବସିଥିବା କାର ଚାଷୀଙ୍କ ଉପରେ ଚଢ଼ିଥିବାର ପ୍ରମାଣ ଦେଲେ ଯାଇ ସେ ଇସ୍ତଫା ଦେବେ ବୋଲି କହିଛନ୍ତି।

ଅଜୟ ମିଶ୍ର ଏହା ପୂର୍ବରୁ ଦାବି କରିଥିଲେ ଯେ, ତାଙ୍କ ପୁଅ ଆଶିଷ ଘଟଣା ଘଟିବା ସମୟରେ ସେହି ସ୍ଥାନରେ ନଥିଲେ। ଘଟଣା ଘଟିବା ସମୟରେ ତାଙ୍କ ପୁଅ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଭିଡିଓ ଏବଂ ଫଟୋ ପ୍ରମାଣ ଆକାରରେ ଥିବା ସେ କହିଥିଲେ।

ଅନ୍ୟପକ୍ଷରେ କୃଷକ ସଂଘ ଦାବି କରିଥିଲା ଯେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ପୁଅକୁ ନେଇ ଯାଉଥିବା ଏକ କାର ବିକ୍ଷୋଭକାରୀଙ୍କ ଉପରେ ଚଢ଼ିଯାଇଥିଲା। ଏହା ଫଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ୪ଜଣଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆଶିଷ ମିଶ୍ରଙ୍କ ବିରୋଧରେ ଏତଲା ପଞ୍ଜିକୃତ କରିବାକୁ ଚାଷୀମାନେ ଆନ୍ଦୋଳନ କରିଥିବା ବେଳେ ପରେ ସେମାନଙ୍କର ଏହି ଦାବି ପୂରଣ କରାଯାଇଥିଲା।

Will resign as Union Minister if there is proof of my son being on the spot: Ajay Misra - India News
www.indiatoday.in

ଉଲ୍ଲେଖଯୋଗ୍ୟ, ରବିବାର ଦିନ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଲଖିମପୁର ଖେରିକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। କାରଗୁଡିକ ସେମାନଙ୍କୁ ଆଣିବାକୁ ଯାଉଥିବା ବେଳେ ବାଟରେ ଚାଷୀମାନେ ତିକୁନିଆ ଅଞ୍ଚଳରେ କାରକୁ ଦେଖି ବିରୋଧ କରିବା ଆରମ୍ଭ କରିଥିଲେ। ଏହାକୁ ଦେଖି ଅଟକିବା ପରିବର୍ତ୍ତେ ଗାଡ଼ି ଚାଳକ ଚାଷୀଙ୍କ ଉପ‌ରେ ଗାଡ଼ି ଚଢ଼ାଇଦେଇଥିଲେ, ଯାହାଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି ଉତ୍ୟକ୍ତ ଲୋକେ ଗାଡ଼ି ଭିତରେ ଥିବା ୪ଜଣ ବିଜେପି କର୍ମୀଙ୍କୁ ଟାଣି ଆଣି ମାଡ଼ ମାରିବାରୁ ଅନ୍ୟ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସାରେ କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଡ୍ରାଇଭର ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ଏହି ହିଂସାରେ ମୋଟ ୮ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର