କୁଆଲାଲମ୍ପୁର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବିବାଦର ଶୀଘ୍ର ସମାଧାନ ହେବ ବୋଲି ଘୋଷଣା କରିଛନ୍ତି।  ସେ ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର୍‌ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ‘ମହାନ ବ୍ୟକ୍ତି’ ବୋଲି  କହି ପ୍ରଶଂସା କରିଛନ୍ତି। ଟ୍ରମ୍ପ ଏହି ଘୋଷଣା କୁଆଲାଲମ୍ପୁରରେ ଥାଇଲ୍ୟାଣ୍ଡ-କାମ୍ବୋଡିଆ ଶାନ୍ତି ଚୁକ୍ତି ସ୍ୱାକ୍ଷର ସମୟରେ କରିଥିବା ବେଳେ ଭାରତ-ପାକ୍‌ ଅସ୍ତ୍ରବିରତି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରି ଏହା ତାଙ୍କର ବଡ଼ ସଫଳତା ଥିଲା ବୋଲି ଦୋହରାଇଛନ୍ତି। ଏହି ଅବସରରେ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, ‘ମୁଁ ପାକ୍‌-ଆଫ୍‌ଗାନ ବିବାଦର  ଶୀଘ୍ର ସମାଧାନ କରିବି। ମୁଁ ଉଭୟଙ୍କୁ ଜାଣେ। ପାକିସ୍ତାନର ଫିଲ୍ଡ ମାର୍ଶଲ ଓ ପ୍ରଧାନମନ୍ତ୍ରୀ ସରିଫ୍‌ ମହାନ ବ୍ୟକ୍ତି  ଏବଂ ମୁଁ ନିଶ୍ଚିତ ଯେ ଆମେ ଏହାକୁ ଶୀଘ୍ର ସମ୍ପନ୍ନ କରିବୁ। ଟ୍ରମ୍ପ ତାଙ୍କର  କୂଟନୀତି ଉପରେ ଜୋର୍‌ ଦେଇ କହିଛନ୍ତି, ‘ମୁଁ ବାରମ୍ବାର ଶାନ୍ତି ସ୍ଥାପନ କରୁଛି, ଯଦି ମୁଁ ଆଲୋଚନା ମାଧ୍ୟମରେ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇ ପାରେ, ତାହା ପ୍ରକୃତରେ ମହାନ କାମ।’ ସେ ପୂର୍ବବର୍ତୀ ଆମେରିକୀୟ ରାଷ୍ଟ୍ରପତିଙ୍କୁ ସମାଲୋଚନା କରି କହିଛନ୍ତି, ‘କୌଣସି ରାଷ୍ଟ୍ରପତି ଗୋଟିଏ ବି ଯୁଦ୍ଧ ସମାଧାନ କରିଛନ୍ତି ବୋଲି ମୁଁ ଭାବି ପାରୁନାହିଁ। ସେମାନେ ଯୁଦ୍ଧ ଆରମ୍ଭ କରନ୍ତି, ସମାଧାନ କରନ୍ତି ନାହିଁ।’ ୨୦୨୧ରେ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସୀମାନ୍ତ ସଂଘର୍ଷ ଓ ସୀମାପାର ଆତଙ୍କବାଦ ଯୋଗୁଁ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।  

Advertisment

ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘୋଷଣା। ଶାନ୍ତି ଆଲୋଚନା ବିଫଳ ହେଲେ ନିର୍ଣ୍ଣାୟକ ଯୁଦ୍ଧ 

 ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ତାଲିବାନ ନେତୃତ୍ୱାଧୀନ ଆଫଗାନ ସରକାରକୁ ଚେତାବନୀ ଦେଇ କହିଛନ୍ତି ଯେ ଇସ୍ତାନବୁଲରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେଲେ  ଆମେ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହେବ। ଏହି ଖୋଲା ଯୁଦ୍ଧ  ଡୁରାଣ୍ଡ ରେଖା ବିବାଦ ଓ ଆତଙ୍କବାଦ ସମସ୍ୟାର ସମାଧାନ ପାଇଁ ଅବଶ୍ୟମ୍ଭାବୀ ବୋଲି ସେ ଆଫଗାନିସ୍ତାନକୁ ଚେତାଇ ଦେଇଛନ୍ତି। କତର ଓ ତୁର୍କୀ ମଧ୍ୟସ୍ଥତାରେ ଇସ୍ତାନବୁଲରେ ଏବେ  ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଚାଲିଥିବା ବେଳେ ଏଭଳି ବୟାନ ଉତ୍ତେଜନା ବଢ଼ାଇଛି।  ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀଙ୍କ ନେଟୱର୍କ ନଷ୍ଟ କରିବାକୁ  ଆଜି ପାକିସ୍ତାନ ଆଫଗାନିସ୍ତାନଠାରୁ ଦୃଢ଼ ପ୍ରତିଶ୍ରୁତି ଦାବି କରିଛି। ଆଫଗାନ ପ୍ରତିନିଧି ଦଳରେ ଉପ-ଗୃହମନ୍ତ୍ରୀ ରହମତୁଲ୍ଲା ମୁଜିବ ଓ ଆନାସ ହକ୍କାନୀ ଅଛନ୍ତି।  ଡୁରାଣ୍ଡ ରେଖା ସମସ୍ୟା ଓ ଆଫଗାନିସ୍ତାନର କୁନାର ନଦୀରେ ବନ୍ଧ ନିର୍ମାଣ ଯୋଜନାକୁ ନେଇ ଉତ୍ତେଜନା ବଢ଼ିଛି। ତାଲିବାନ ନେତା ହିବାତୁଲ୍ଲା ଆଖୁନ୍ଦଜାଦା  ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ପାକିସ୍ତାନରେ ଜଳ ସଙ୍କଟ ସୃଷ୍ଟି କରିପାରେ। ୨୦୨୧ରେ ତାଲିବାନ କ୍ଷମତା ଗ୍ରହଣ ପରେ ଟିଟିପିର ଉତ୍‌ଥାନ ଓ  ନିକଟରେ ଆଫଗାନ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ  ପାକିସ୍ତାନକୁ କ୍ଷୁବ୍ଧ କରିଛି।