ନିଜର ଆବଶ୍ୟକତା ମେଣ୍ଟାଇବା ପରେ ପାକିସ୍ତାନ ବ୍ୟତୀତ ଅନ୍ୟ ପଡ଼ୋଶୀ ଦେଶମାନଙ୍କୁ କରୋନା ଟିକା ଯୋଗାଇବ ଭାରତ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ଭାରତ ମାନବଜାତି ପ୍ରତି ନିଜର ଦାୟିତ୍ବ ନିର୍ବାହ କରିଚାଲିଛି । ପୂର୍ବରୁ ବିଶ୍ବର ଶତାଧିକ ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକ୍ବିନ ଆବଣ୍ଟନ କରି ଭାରତ ପ୍ରଶଂସାର ପାତ୍ର ହୋଇଥିଲା । ଏବେ ଟିକା ଆସିବା ପରେ ନିଜର ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାକୁ ଭାରତ ଆଗେଇ ଆସିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତ ନିଜର ଆବଶ୍ୟକତା ମେଣ୍ଟାଇବା ପରେ ପଡ଼ୋଶୀ ଦେଶ ବାଂଲାଦେଶ, ଶ୍ରୀଲଙ୍କା,ନେପାଳ, ଭୁଟାନ  ଓ ଆଫଗାନିସ୍ତାନକୁ ଟିକା ଯୋଗାଇଦେବ । ତେବେ ପାକିସ୍ତାନକୁ ଟିକା ଦିଆନଯିବାର ସମ୍ଭାବନା ରହିଛି । କାରଣ ଉପରୋକ୍ତ ପଡ଼ୋଶୀକୁ ଟିକା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ତେବେ ପାକିସ୍ତାନକୁ ସେ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି ।

କରୋନା ଟିକା ବାହାର କରିବାରେ ଭାରତ ବିଶ୍ବରେ ଏକ ଅଗ୍ରଣୀ ଦେଶରେ ପରିଣତ ହୋଇଛି । ଭାରତର ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ବିଲ ଗେଟ୍ସ ପ୍ରମୁଖ ପ୍ରସଂଶା କରିସାରିଛନ୍ତି ।

ଦୁଇଦିନ ତଳେ ଭାରତର ଔଷଧ ମହାନିୟନ୍ତ୍ରକ ଦୁଇଟି ଟିକାକୁ ମଂଜୁରୀ ଦେଇଛନ୍ତି । ସେଗୁଡ଼ିକ ହେଉଛି ଭାରତ ବାୟୋଟେକର କୋଭାକ୍ସିନ ଓ ସେରମ ଇନଷ୍ଟିଚ୍ୟୁଟର କୋଭିସିଲଡ । ଆସନ୍ତା ୧୦ ଦିନ ମଧ୍ୟରେ ଭାରତ ବିଶ୍ବର ସର୍ବବୃହତ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଅର୍ଥାତ ଜାନୁଆରି ୧୩ କିମ୍ବା ୧୪ରୁ ଦେଶରେ ଟିକାଦାନ ଆରମ୍ଭ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର