ଭୋପାଳ: ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦଳପକ୍ଷରୁ ସୋମବାର ଦ୍ବିତୀୟ ଦଫା ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦ୍ବିତୀୟ ଦଫାରେ ୩୯ ଜଣଙ୍କ ନାମ ଘୋଷଣା କରାଯାଇଛି । ତାଲିକାରେ କେତେକ କେନ୍ଦ୍ରମନ୍ତ୍ରୀଙ୍କ ନାମ ବି ରହିଛି । କିନ୍ତୁ ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମ ଘୋଷଣା କରାଯାଇନାହିଁ । ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଟିକେଟ ବୋଧହୁଏ କଟିଯାଇଛି । ଶିବରାଜଙ୍କ ଟିକେଟ ଘୋଷଣା ନକରି ତାଙ୍କ ଉପରେ ଲଗାମ ଲଗାଇବାକୁ ଦଳ ଚେଷ୍ଟା କରିପାରେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Advertisment

କିନ୍ତୁ ଏବେ ଭାରତୀୟ ଜନତା ପାର୍ଟି ସୂତ୍ରରୁ ଏହି ଖବରକୁ ଖଣ୍ଡନ କରି କୁହାଯାଇଛି ଯେ ତାଙ୍କ ଟିକେଟ କଟାଯିବ ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭୁଲ।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଟିକେଟ୍ ଘୋଷଣା ହୋଇଥିବା ଅଧିକାଂଶ ଆସନରେ ଗତ ନିର୍ବାଚନରେ ବିଜେପି ହାରିଥିଲା । ଏଣୁ କେତେକ ଦୁର୍ବଳ ଆସନରେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ପ୍ରାର୍ଥୀ କରିବା ପଛର ଉଦ୍ଦେଶ୍ୟ ହେଉଛି ଯେକୌଣସି ମୂଲ୍ୟରେ ସେଠାରେ ଜିତିବା। ଏହା ସାମୂହିକ ନେତୃତ୍ୱର ବାର୍ତ୍ତା ମଧ୍ୟ ଦେଇଥାଏ । ଏଥିସହିତ ଯଦି ବିଜେପି ନିର୍ବାଚନରେ ବିଜୟୀ ହୁଏ ତେବେ ସେମାନଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏହା ସହିତ ସେମାନେ ଏହି ଆସନଗୁଡ଼ିକୁ ଜିତିବା ଉପରେ ପୂରା ଗୁରୁତ୍ୱ ଦେବେ ଏବଂ ଆଖପାଖ ଆସନଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବେ।