୪ ବର୍ଷିୟ ଝିଅ ଷ୍ଟୋର୍‌ରୁ କଣ୍ଢେଇଟିଏ ନେଇଯିବାରୁ ବାପାମାଆକୁ ଆମେରିକୀୟ ପୁଲିସଙ୍କ ଧମକ: ତୁମ ମୁହଁକୁ ଗୁଳି କରିବୁ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଏରିଜୋନାର ଫିନିକ୍ସ୍‍ ସହର ଏବଂ ଆମେରିକୀୟ ପୁଲିସ ବିଭାଗ ବିରୋଧରେ ଅଦାଲତରେ ମାମଲା ଦାଏର କରିଛନ୍ତି ଏକ ଏରିଜୋନୀୟ ଦମ୍ପତି। କରଣ, ସେମାନେ ଯାଇଥିବା ଷ୍ଟୋର୍‌ରୁ ତାଙ୍କ ଚାରି ବର୍ଷୀୟ ଝିଅ କଣ୍ଢେଇଟିଏ ନେଇ ଆସିଥିଲା।

ମେ ୨୯ ତାରିଖ ଦିନ ଘଟଣାଟି ଘଟିଥିଲା। ଡ୍ରାଭୋନ୍‌ ଆମିସ୍‌ ଏବଂ ତାଙ୍କ ଯୋଡ଼ିଦାର ଲେସା ହାର୍ପର୍‌ ଏବଂ ତାଙ୍କର ଦୁଇଟା ଛୁଆ ଫିନିକ୍ସସ୍ଥିତ ଫ୍ୟାମିଲି ଡଲାର୍‌ ଷ୍ଟୋର୍‌କୁ ଯାଇଥିଲେ। ବାପାମାଆଙ୍କ ଅଜ୍ଞାତରେ ସେମାନଙ୍କର ଚାରି ବର୍ଷୀୟ ଝିଅ ସେଠାରୁ କଣ୍ଢେଇଟାଏ ନେଇ ଆସିଥିଲା।
ଜଣେ ପୁଲିସ ଅଧିକାରୀ ସେମାନଙ୍କ ପଛେ ପଛେ ଆସି ସେମାନଙ୍କ ଗାଡ଼ି ନିକଟରେ ପହଞ୍ଚିଲେ। ବନ୍ଧୁକ ଉଠାଇ ସେମାନେ ଦମ୍ପତିଙ୍କୁ ଧମକ ଦେଲେ: ମୁଁ ତୁମ ମୁହଁକୁ ଗୁଳି ମାରିବି। ସେତେବେଳେ ତାଙ୍କ ପିଲାଦୁହେଁ କାର୍‌ର ପଛ ସିଟ୍‌ ବସିଥିଲେ।

ପରେ ଅଫିସର୍‌ଜଣକ ଡ୍ରାଭୋନ୍‌ ଆମିସ୍‌ଙ୍କୁ କାର୍‌ ଭିତରୁ ଟାଣି ଆଣି ଫୁଟ୍‌ପାଥ୍‌ରେ ତାଙ୍କ ମୁଣ୍ଡକୁ ଠେଲି ଦେଇଥିଲେ। ତା‘ପରେ ହାତକଡ଼ି ପକାଇ ତାଙ୍କୁ ଘୋଷାରି ନେବା ସହ ଡାହଣ ଗୋଡ଼କୁ ଲାତ ମାରିଥିଲେ। ଆମିସ୍‌ ପଡ଼ିଯିବାରୁ ଅଫିସର୍‌ ପୁଣି ତାଙ୍କ ପିଠିରେ ବିଧା ମାରିଥିଲେ।

ତା’ପରେ ଅନ୍ୟ ଜଣେ ପୁଲିସ ଅଫିସର୍‌ ତାଙ୍କ ଅନ୍ତଃସତ୍ତ୍ୱା ପତ୍ନୀଙ୍କୁ ମାଡ଼ିବସି ଝିଅଟିକୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଜଣେ ଦେଖଣାହାରିଙ୍କୁ ପତ୍ନୀ ଛୁଆଟିକୁ ହସ୍ତାନ୍ତର କରିଦେଇଥିଲେ।

ତା’ପରେ ପତ୍ନୀଙ୍କୁ ମଧ୍ୟ ହାତକଡ଼ି ପକାଯାଇ ଅଟକ ରଖାଗଲା। ବେଆଇନ୍‌ କାରାଦଣ୍ଡ, ଆବେଗିକ ନିର୍ଯାତନା ଏବଂ ମିଥ୍ୟା ଗିରଫଦାରିକୁ ଭିତ୍ତି କରି ସେ ଦମ୍ପତି ପୁଲିସ ବିରୋଧରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର