ସରକାର ଆମ ଦାବି ନ ମାନିଲେ ରେଳ ଧାରଣା ଉପରେ ବସିବୁ : କୃଷକ ନେତା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆନ୍ଦୋଳନରତ କୃଷକମାନଙ୍କୁ ପୁଣି ଥରେ ଆଲୋଚନା ପାଇଁ ନିବେଦନ କରିବାପରେ କୃଷକ ସଂଗଠନଗୁଡ଼ିକ କହିଛନ୍ତି ଯେ ଯଦି ସରକାର କୌଣସି ଭଲ ପ୍ରସ୍ତାବ ଦିଅନ୍ତି, ତେବେ ସେମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ଅନ୍ୟପକ୍ଷରେ ଆନ୍ଦୋଳନକାରୀ କୃଷକମାନେ ଧମକ ଦେଇଛନ୍ତି ଯେ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ, ଆନ୍ଦୋଳନକୁ ରେଳଧାରଣା ଉପରକୁ ନିଆଯିବ । ସାରା ଦେଶରେ ଚାଷୀମାନେ ରେଳଧାରଣା ଉପରେ ବସିବେ । ଏଥିଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ତାରିଖ ସ୍ଥିର କରାଯିବ ବୋଲି କୃଷକ ନେତା ବୁଟା ସିଂ କହିଛନ୍ତି । ସେ କହିଛନ୍ତି ଯେ,  ଦିଲ୍ଲୀକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଆଯିବ । ଏହା ସହିତ ସାରା ଦେଶରେ ଆନ୍ଦୋଳନ କରାଯିବ ।

ଆଜି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, କେନ୍ଦ୍ର  ସରକାର କୃଷକମାନଙ୍କ ସହ ଖୋଲା ମନ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ନୂଆ ଆଇନ ଏମଏସପି ଓ ଏମପିଏମସିଗୁଡ଼ିକ ଉପରେ ହସ୍ତକ୍ଷେପ କରେ ନାହିଁ । ସେହିପରି ଏହି ଆଇନ କୃଷକଙ୍କ ଜମିର ସୁରକ୍ଷା କରିବ । ଏହି ଆଇନକୁ ସାରା ଦେଶରେ ସ୍ବାଗତ କରାଯାଉଥିବାବେଳେ କେତେକ କୃଷକ ସଂଗଠନ ଏହାକୁ ବିରୋଧ କରୁଛନ୍ତି । କିନ୍ତୁ ସରକାର ଏହି ମତଭେଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧିତ ଖବର