ପଶ୍ଚିମ ଏସିଆର ସମୀକରଣ ବଦଳିଯିବ କି?

ସାତ ଦଶନ୍ଧିର ତିକ୍ତ ସମ୍ପର୍କ ପରେ ଇସ୍ରାଏଲ-ୟୁଏଇ ରାଜିନାମା

ନୂଆଦିଲ୍ଲୀ: ୧୯୪୮ରେ ଇସ୍ରାଏଲ ରାଷ୍ଟ୍ରଗଠନ ଓ ପରବର୍ତ୍ତୀ ସାତ ଦଶନ୍ଧିର ‘କଟୁତିକ୍ତ’ ସମ୍ପର୍କ ପରେ ନିକଟରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଏକ ବୁଝାମଣାରେ ଉପନୀତ ହୋଇଛନ୍ତି। ଏହାଫଳରେ ପଶ୍ଚିମ ଏସିଆ ସମୀକରଣରେ କି ପ୍ରକାର ପରିବର୍ତ୍ତନ ଆସିବ ତାକୁ ନେଇ ସମଗ୍ର ବିଶ୍ବରେ ଉତ୍କଣ୍ଠା ଦେଖାଦେଇଛି। ଆମେରିକା ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ବେଳେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସ୍ବାଭାବିକ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଆଉ ଏହାର ଫଳସ୍ବରୂପ ଇସ୍ରାଏଲ ବର୍ତ୍ତମାନ ୱେଷ୍ଟବ୍ୟାଙ୍କର ପଶ୍ଚିମତଟରେ କବ୍‌ଜା କରିବା ଉଦ୍ୟମରୁ ଓହରି ଆସିଛି।

ଏହି ବୁଝାମଣା ଯୋଗୁଁ ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ଆସିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆବୁଧାବିର ଶାହାଜାଦା ମହମ୍ମଦ ଅଲ୍‌ ନାହ୍ୟାନ ଏକ ମିଳିତ ବିବୃତିରେ କହିଛନ୍ତି। ତେବେ ଅଦ୍ୟାବଧି ଆରବ ଦେଶଗୁଡ଼ିକ ସହିତ ଇସ୍ରାଏଲର କୌଣସି ରାଜନୈତିକ କିମ୍ବା କୂଟନୈତିକ ସମ୍ପର୍କ ନାହିଁ। ଏବେ ୟୁଏଇ ଓ ଇସ୍ରାଏଲ ପୂର୍ଣ୍ଣ ରାଜନୈତିକ ସମ୍ପର୍କ ସ୍ଥାପନ କରିବାକୁ ସହମତ ହୋଇଛନ୍ତି। ଏହି ଦୃଷ୍ଟିରୁ ୧୯୭୯ରେ ଇସ୍ରାଏଲ-ମିଶର ରାଜିନାମା ଓ ୧୯୯୪ରେ ଜୋର୍ଡାନ-ଇସ୍ରାଏଲ ରାଜିନାମା ପରେ ଇସ୍ରାଏଲ ସହ ସମ୍ପର୍କ ସ୍ଥାପନ କରିବାରେ ୟୁଏଇ ତୃତୀୟ ଦେଶ। ଏହି ବୁଝାମଣା ଫଳରେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଗାମୀ କିଛି ସପ୍ତାହରେ ପୁଞ୍ଜିନିବେଶ, ପର୍ଯ୍ୟଟନ, ବିମାନସେବା, ଦୂରସଞ୍ଚାର ଆଦି ପ୍ରସଙ୍ଗରେ ଦ୍ବିପାକ୍ଷିକ ରାଜିନାମା ହେବ। ଏହାଛଡ଼ା ଦୁଇଦେଶ ମଧ୍ୟରେ ଖୁବଶୀଘ୍ର କୂଟନୈତିକ ସମ୍ବନ୍ଧ ମଧ୍ୟ ସ୍ଥାପିତ ହେବାକୁ ଯାଉଛି। ଆବୁଧାବି (ୟୁଏଇ ରାଜଧାନୀ)ରୁ ତେଲ୍‌ ଆଭିଭ୍‌ (ଇସ୍ରାଏଲର ରାଜଧାନୀ) ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ କରାଯିବ ବୋଲି ମିଳିତ ବିବୃତିରେ କୁହାଯାଇଛି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବହୁତ ଉତ୍ସାହିତ ଅଛନ୍ତି। ଭବିଷ୍ୟତରେ ଅନ୍ୟ ମୁସ୍‌ଲିମ୍‌ ଦେଶମାନେ ୟୁଏଇକୁ ଅନୁସରଣ କରିବେ ବୋଲି ଟ୍ରମ୍ପ କହିଥିବା ବେଳେ ଇସ୍ରାଏଲ ରାଷ୍ଟ୍ରପତି ନେତାନ୍ୟାହୁ ଏହି ରାଜିନାମାକୁ ଐତିହାସିକ ବୋଲି କହିଛନ୍ତି।

ବର୍ତ୍ତମାନ ୟୁଏଇର ଏପରି ପଦକ୍ଷେପ ପଛରେ ଇରାନର କ୍ରମବର୍ଦ୍ଧିଷ୍ଣୁ ସାମରିକ ଓ ରାଜନୈତିକ ପ୍ରଭାବ ଦାୟୀ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଏହି ବୁଝାମଣା ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ସାଙ୍ଗକୁ କରୋନା ମୁକାବିଲାରେ ନିଜର ବିଗିଡ଼ି ଯାଇଥିବା ପ୍ରତିଛବିକୁ ସୁଧାରିପାରିବ। ବୁଝାମଣାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆମେରିକ ପକ୍ଷରୁ ଗଳଦ୍‌ଘର୍ମ ପ୍ରୟାସ କରାଯାଇଥିଲା। ଏହାପଛରେ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଜେରେଣ୍ଡ କୁସନର୍‌, ବିଦେଶ ସଚିବ ମାଇକ୍‌ ପୋମ୍ପିଓ, ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଅବ୍ରାୟନ୍‌ ଓ ଇସ୍ରାଏଲରେ ଆମେରିକୀୟ ରାଷ୍ଟ୍ରଦୂତ ଡେଭିଡ୍‌ ଫ୍ରିଡ୍‌ମ୍ୟାନ୍‌ଙ୍କ ଅବଦାନ ରହିଛି। ତେବେ ଏହି ବୁଝାମଣାକୁ ନେଇ ବିଭିନ୍ନ ଦେଶ ମାପିଚୁପି ପ୍ରତିକ୍ରିୟା ଦେଇଥିବା ବେଳେ ଚିରାଚରିତ ଭାବେ ପାଲେଷ୍ଟାଇନ ଓ ଇରାନ ଏହି ବୁଝାମଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଝାମଣାକୁ ଇରାନ ଲଜ୍ଜାକର କହିଥିବା ବେଳେ ପାଲେଷ୍ଟାଇନ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଆମେରିକାରୁ ନିଜର ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିଛି।

ସମ୍ବନ୍ଧିତ ଖବର