ଭାରତ ଅବସ୍ଥା ଶ୍ରୀଲଙ୍କା ଭଳି ହେବ କି?

ନୂଆଦିଲ୍ଲୀ : ପ୍ରଥ‌ମେ କରୋନା ମହାମାରୀ ଓ ପରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି। ଏମିତି କୌଣସି ଦେଶ ନାହିଁ ଯିଏ ଉପରୋକ୍ତ ଦୁଇଟି ପ୍ରଭାବରୁ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ଅବଶ୍ୟ ପ୍ରଭାବର ମାତ୍ରାରେ ଭିନ୍ନତା ରହିଛି। ପଡ଼ୋଶୀ ଶ୍ରୀଲଙ୍କା ଅର୍ଥନୀତି ଭୂଶୁଡ଼ି ପଡ଼ିବା ପରେ ଭାରତର ସ୍ଥିତି କିଭଳି ରହିଛି ତାହାକୁ ନେଇ ବିଭିନ୍ନ ମ‌ହଲରେ ଚର୍ଚ୍ଚା ଚାଲିଛି। ଭାରତ କ’ଣ ଶ୍ରୀଲଙ୍କା ପଥର ଯାତ୍ରୀ କି ବୋଲି ମନରେ ଆଶଙ୍କା ଉପୁଜିଛି। ତେବେ ଦୁଇ ଦେଶର ବାସ୍ତବ ସ୍ଥିତି ଏବେ କ’ଣ ରହିଛି ତାହାକୁ ନେଇ ଏଠାରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି। ୧୯୪୮ ମସିହାରେ ଶ୍ରୀଲଙ୍କା ବ୍ରିଟିସ ଶାସନରୁ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ଏଠାରେ ବଡ଼ ଧରଣର ଆର୍ଥିକ ସଂକଟ ଦେଖାଦେଇଛି। ଶ୍ରୀଲଙ୍କାରେ ଖାଦ୍ୟଶସ୍ୟର ମୂଲ୍ୟ ବହୁମାତ୍ରାରେ ବଢ଼ିଯାଇଛି। ଦେଶରେ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ଔଷଧ ଆଦିର ଘୋର ଅଭାବ ଦେଖାଦେଇଛି।

କାହିଁକି ଆଶଙ୍କା ନାହିଁ
ବିଶ୍ବ ସ୍ତରରେ ଘଟୁଥିବା ଘଟଣାକ୍ରମ ଦ୍ବାରା ସବୁ ଦେଶ ଭଳି ଭାରତ ମଧ୍ୟ ପ୍ରଭାବିତ ହେଉଛି। କିନ୍ତୁ ଏକ ବଡ଼ ଅର୍ଥନୈତିକ ମହାଶକ୍ତି ହୋଇଥିବାରୁ ବିଭିନ୍ନ ଧକ୍କାକୁ ସହ୍ୟ କରିବାର ଶକ୍ତି ଏହା ପାଖରେ ରହିଛି। ଜାତିସଂଘ, ଆଇଏମ୍ଏଫ୍‌, ବିଶ୍ବବ୍ୟାଙ୍କ ଭଳି ସଂସ୍ଥାର ଆକଳନ ଅନୁସାରେ ଭାରତ ୭-୮% ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବ। ବିଭିନ୍ନ ପ୍ରକାର ସଙ୍କଟରୁ ଅର୍ଥନୀତି ଓ ଅର୍ଥ ବ୍ୟବସ୍ଥାକୁ ସୁରକ୍ଷା ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ଥିତି ଉପର ତୀକ୍ଷ୍‌ଣ ନଜର ରଖିଛନ୍ତି ଓ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି। ଏହାର ପ୍ରଭାବରେ ବହୁ ଧକ୍କାକୁ ଅର୍ଥନୀତି ସହଜରେ ମୁକାବିଲା କରିପାରିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସେମାନଙ୍କ ମତରେ କୋଭିଡ୍ ମହାମାରୀର ପ୍ରଭାବ ପରେ ଭାରତୀୟ ଅର୍ଥନୀତିରେ ସୁଧାରର ବହୁ ସଙ୍କେତ ମିଳିଛି। ଗାଡ଼ି ବିକ୍ରି ବଢ଼ିଛି। ମାସକୁ ୧.୪ ଲକ୍ଷ କୋଟି ଟଙ୍କା ପାଖାପାଖି ଜିଏସ୍‌ଟି ସଂଗ୍ରହ ହେଉଛି। ରପ୍ତାନି ମଧ୍ୟ ବଢ଼ୁଛି। ଶିଳ୍ପ ଉତ୍ପାଦନରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ମଧ୍ୟ ୫୯,୦୦୦ କୋଟି ଡଲାର ଭଳି ମୁଦ୍ରା ରହିଛି ଯାହା ବହୁ ମାସର ଆମଦାନି ଆବଶ୍ୟକତା ପୂରଣ କରିପାରିବ। ଭାରତୀୟ ଷ୍ଟକ ବଜାର ମଧ୍ୟ ଉଣା ଅଧିକ ଉନ୍ନତ ସ୍ଥିତିରେ ରହିଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଯଦିଓ ଦୁର୍ବଳ ହୋଇଛି କିନ୍ତୁ ବହୁ ଦେଶର ମୁଦ୍ରା ତୁଳନାରେ ଏହାର ପ୍ରଦର୍ଶନ ଏବେବି ଭଲ ରହିଛି। ଅର୍ଥନୀତିର ବିଭିନ୍ନ ମାନଦଣ୍ଡରେ ଏତେ ସକାରାତ୍ମକ ଦିଗ ଥିବାରୁ ଶ୍ରୀଲଙ୍କା ଭଳି ସମସ୍ୟା ଭାରତ ଭୋଗିବାର ଆଶଙ୍କା କମ୍ ରହିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

କାହିଁକି ଆଶଙ୍କା ଅଛି
କିଛି ଦିନ ପୂର୍ବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାରିଟି ଗ୍ରାଫ୍‌ ଜାରି କରି ଭାରତ ଓ ଶ୍ରୀଲଙ୍କା ସ୍ଥିତି ପ୍ରାୟ ସମାନ ଭଳି ପ୍ରଦର୍ଶିତ କରିବାକୁ ପ୍ରୟାସ କରିଥିଲେ। ତାହାକୁ ନେଇ ଦେଶରେ ବହୁ ବିତର୍କ ହୋଇଥିଲା। ଶିବ ସେନା ନେତା ସଞ୍ଜୟ ରାଉତ ମଧ୍ୟ କହିଥିଲେ ଯେ ଯଦି ଦରଦାମ୍ ସ୍ଥିତିର ସଠିକ୍ ମୁକାବିଲା କରାନଯିବ ତେବେ ଶ୍ରୀଲଙ୍କା ଭଳି ଦଶା ଭାରତକୁ ଭୋଗିବାକୁ ପଡ଼ିବ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦରଦାମ୍ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଭାରତ ପାଇଁ ଏବେ ଦୁଇଟି ବଡ଼ ସମସ୍ୟା ରହିଛି। ତାହା ହେଉଛି ବେଲଗାମ ଦରଦାମ୍ ସ୍ଥିତି ଓ ଦୁର୍ବଳ ଟଙ୍କା। ଏହି ଦୁଇ ସମସ୍ୟାକୁ ଅତି ଚମତ୍କାର ଢଙ୍ଗରେ ପରିଚାଳନା କରିବାକୁ ପଡ଼ିବ। କିଛି ଦିନ ତଳେ ନିତି ଆୟୋଗର ସଦସ୍ୟ ରମେଶ ଚାନ୍ଦ ମନ୍ତବ୍ୟ ଦେଇ କହିଥିଲେ ଯେ ରାଜ୍ୟଗୁଡ଼ିକ ଯେଉଁଭଳି ଭାବେ ମାଗଣା ସ୍କିମ୍ ଘୋଷଣା କରି ସେଥିରେ ବ୍ୟୟ କରୁଛନ୍ତି ତାହା ଶ୍ରୀଲଙ୍କା ଭଳି ସଙ୍କଟ ଡାକି ଆଣିବ। ମାଗଣା ଚାଉଳ, ମାଗଣା ବିଜୁଳି, ଯାତାୟାତରେ ରିହାତି ଭଳି ସୁବିଧା ରାଜ୍ୟଗୁଡ଼ିକ ଘୋଷଣା କରୁଛନ୍ତି। ଏହି ସବୁ ବ୍ୟୟର କୌଣସି ଅର୍ଥନୈତିକ ଲାଭ ମିଳେ ନାହିଁ। ବରଂ ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟ ବଢ଼ାଇଲେ ତାହାର ଦୀର୍ଘସ୍ଥାୟୀ ଲାଭ ମିଳିପାରିବ। ଭାରତୀୟ ଅର୍ଥନୀତି ଅ‌ାଗକୁ ଖରାପ ହୋଇପାରେ ବୋଲି ଏସବୁ କିଛି ମନ୍ତବ୍ୟ ଇଙ୍ଗିତ କରୁଛି।

ସମ୍ବନ୍ଧିତ ଖବର