ନୂଆଦିଲ୍ଲୀ: ଉଭୟ ଲୋକସଭା ଓ ରାଜ୍ୟସଭାରେ ଜୋର୍ଦାର୍ ହଙ୍ଗାମା ପରେ ଶେଷରେ ୱକଫ୍ ସଂଶୋଧନ ବିଲ୍ ବହୁମତରେ ଗୃହୀତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଏବେ ଅନେକ ବିରୋଧୀ ଦଳ ଏହି ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ଯିବାକୁ ଘୋଷଣା କରିବା ସହ ମାମଲା ଦାଏର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛି ମୁସଲମାନ ସଂଗଠନ ମଧ୍ୟ ଏହି ବିଲ୍କୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ତେବେ ସଂସଦ ଦ୍ୱାରା ଗୃହୀତ ଆଇନର ସମୀକ୍ଷା କରିବାର ଅଧିକାର ସୁପ୍ରିମ୍କୋର୍ଟଙ୍କର ଅଛି କି ? ନ୍ୟାୟପାଳିକା ସଂସଦ ଦ୍ୱାରା ପାରିତ ଆଇନକୁ ରଦ୍ଦ କରିପାରିବ କି? ଆସନ୍ତୁ ବୁଝିବା ଆଇନ ବିଶେଷଜ୍ଞମାନେ କ’ଣ କହୁଛନ୍ତି।
ଆଇନକୁ ସୁପ୍ରିମ୍କୋର୍ଟ ରଦ୍ଦ କରିପାରିବେ କି?
ସୁପ୍ରିମ୍କୋର୍ଟରେ ଆଇନଜୀବୀ ଅନୀଲ କୁମାର ସିଂହ ଶ୍ରୀନେତ ଦର୍ଶାଇଛନ୍ତି ଯେ ସୁପ୍ରିମ୍କୋର୍ଟକୁ ସମ୍ବିଧାନର ରକ୍ଷକ ଭାବେ ବିବେଚନା କରାଯାଏ। ଏଭଳି ପରିସ୍ଥିତିରେ ସଂସଦ ଦ୍ୱାରା ପ୍ରସ୍ତୁତ ଆଇନଗୁଡ଼ିକ ସମ୍ବିଧାନ ଅନୁଯାୟୀ ବୋଲି ସୁନିଶ୍ଚିତ କରିବା ପାଇଁ କୋର୍ଟ ସମୀକ୍ଷା କରନ୍ତି। ଯଦି ସୁପ୍ରିମ୍କୋର୍ଟ ଭାବନ୍ତି ଯେ କୌଣସି ଆଇନ ସମ୍ବିଧାନବିରୋଧୀ, ତେବେ ଏହାକୁ ଖାରଜ କରିପାରିବେ। ସଂସଦ ପାଖରେ ସମ୍ବିଧାନ ସଂଶୋଧନର କ୍ଷମତା ଥିଲେ ମଧ୍ୟ ସମ୍ବିଧାନର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ହୋଇପାରିବ ନାହିଁ।
ସମ୍ବିଧାନର ଧାରା ୧୩ ସୁପ୍ରିମ୍କୋର୍ଟଙ୍କୁ କି କ୍ଷମତା ଦେଇଛି?
ଆଇନ ବିଶେଷଜ୍ଞଙ୍କ ମତରେ ସଂସଦ କେବଳ ସମ୍ବିଧାନ ଅନୁଯାୟୀ ସମ୍ବିଧାନ ପରିବର୍ତ୍ତନ କିମ୍ବା ସଂଶୋଧନ ପାଇଁ ଉତ୍ତରଦାୟୀ। ସଂସଦ ପାଖରେ କେବଳ ନୂଆ ଆଇନ ପାରିତ କରିବାର କ୍ଷମତା ରହିଛି। ସମ୍ବିଧାନର ଧାରା ୧୩ ଅନୁଯାୟୀ ଯଦି କୌଣସି ଆଇନ ସମ୍ବିଧାନ ବିରୋଧୀ ତେବେ ସୁପ୍ରିମ୍କୋର୍ଟ ଏହାକୁ ଖାରଜ କରିପାରିବେ। ଏଭଳି ସ୍ଥିତିରେ ସଂସଦ ବ୍ୟତୀତ ଅନ୍ୟ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କର କୌଣସି ପାରିତ ଆଇନକୁ ରଦ୍ଦ କରିବାର ଅଧିକାର ନାହିଁ। ସମ୍ବିଧାନ ଦ୍ୱାରା ସ୍ଥାପିତ ଅନୁଷ୍ଠାନ ଯଥା ସୁପ୍ରିମ୍କୋର୍ଟ ଓ ହାଇକୋର୍ଟର କେବଳ ସ୍ବତନ୍ତ୍ର ଅଧିକାର ରହିଛି, ଯାହା ସେମାନଙ୍କୁ ଯେକୌଣସି ଆଇନକୁ ରଦ୍ଦ କରିବାର କ୍ଷମତା ପ୍ରଦାନ କରିଥାଏ।
ସଂସଦର ଅସୀମିତ କ୍ଷମତା ଅଛି କି?
ନା। ସଂସଦ ସବୁ ପ୍ରସଙ୍ଗରେ ଆଇନ ପ୍ରଣୟନ କରିପାରିବ, କିନ୍ତୁ ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିପାରିବ ନାହିଁ। ଭାରତୀୟ ସମ୍ବିଧାନର ଧାରା ୩୬୮(୧) ସମ୍ବିଧାନରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ କୌଣସି ବ୍ୟବସ୍ଥାକୁ ଯୋଡିବା, ପରିବର୍ତ୍ତନ କରିବା କିମ୍ବା ବିଲୋପ କରି ସମ୍ବିଧାନରେ ସଂଶୋଧନ କରିବାକୁ ସଂସଦକୁ କ୍ଷମତା ପ୍ରଦାନ କରିଛି। ୧୯୭୩ ମସିହାର ଐତିହାସିକ କେଶବାନନ୍ଦ ଭାରତୀ ମାମଲାରେ ସମ୍ବିଧାନର ମୌଳିକ ଢାଞ୍ଚା ନୀତିକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ସାମ୍ବିଧାନିକ ସଂଶୋଧନ ମଧ୍ୟ ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚାରେ ସଂଶୋଧନ କରିପାରିବ ନାହିଁ।
ସମ୍ବିଧାନରେ ସୁପ୍ରିମ୍କୋର୍ଟଙ୍କ କ୍ଷମତା କ’ଣ?
ଭାରତୀୟ ସମ୍ବିଧାନର ତୃତୀୟ ଭାଗ (ଧାରା ୧୨-୩୫) କେତେକ ସ୍ୱାଧୀନତାକୁ ସୁରକ୍ଷା ଦେଇଥାଏ। ଧାରା ୧୩ରେ ଏହି ସ୍ୱାଧୀନତାକୁ ଉଲ୍ଲଂଘନ କରୁଥିବା କୌଣସି ନୂତନ ଆଇନ ପ୍ରଣୟନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ବ୍ୟବସ୍ଥା ସମ୍ବିଧାନ ଅନୁମୋଦନ ପୂର୍ବରୁ ଓ ପରେ କରାଯାଇଥିବା ଆଇନର ସାମ୍ବିଧାନିକତା ନିର୍ଣ୍ଣୟ କରିବାକୁ ଅଦାଲତମାନଙ୍କୁ କ୍ଷମତା ପ୍ରଦାନ କରିଥାଏ।
ଆଇନ ତିଆରି କରିବା ସଂସଦର ଅଧିକାର, କୋର୍ଟ ହସ୍ତକ୍ଷେପ କରନ୍ତି ନାହିଁ
ଅନୀଲ ସିଂହ ଦର୍ଶାଇଛନ୍ତି ଯେ ୨୦୨୩ ଫେବ୍ରୁଆରିରେ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ କହିଥିଲେ- ଆଇନ ତିଆରି କରିବା ସଂସଦର ସାର୍ବଭୌମତ୍ୱ ଅଧିକାର, ଆମେ ଏଥିରେ ହସ୍ତକ୍ଷେପ କରିବୁ ନାହିଁ। ଏଭଳି ସ୍ଥିତିରେ ଯଦି ୱକଫ୍ ସଂଶୋଧନ ବିଲ୍କୁ ଚ୍ୟାଲେଞ୍ଜ କରାଯାଏ, ତେବେ ସୁପ୍ରିମ୍କୋର୍ଟ ସମାନ କଥା କହିପାରିବେ।
ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ବଜାୟ ରହିଥିଲା
ଅନେକ ଥର ସଂସଦୀୟ ଆଇନକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ଗତ ବର୍ଷ ସୁପ୍ରିମ୍କୋର୍ଟ ରାଜନୈତିକ ଦଳମାନଙ୍କୁ ପାଣ୍ଠି ଯୋଗାଣ ପାଇଁ ଇଲେକ୍ଟୋରାଲ ବଣ୍ଡ୍ ଯୋଜନାକୁ ରଦ୍ଦ କରିଦେଇଥିଲେ। ୨୦୨୩ରେ ସୁପ୍ରିମ୍କୋର୍ଟ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ବଜାୟ ରଖିଥିଲେ। ଏଭଳି ସ୍ଥିତିରେ ସୁପ୍ରିମ୍କୋର୍ଟ ଵକଫ୍ ବିଲ୍ର ଆବେଦନକୁ ଅନୁମୋଦନ ନ କରିବା ସମ୍ଭାବନା ଅଧିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)