ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩ ତାରିଖରେ ମନ୍ତ୍ରିପରିଷଦ ବୈଠକ ଡାକିବା ପରେ କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଲୋକସଭା ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି ଥିବା ବେଳେ ଏବଂ ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏହି କଳ୍ପନାଜଳ୍ପନା ଜୋର ଧରିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ (ସଂଗଠନ) ବିଏଲ୍ ସନ୍ତୋଷଙ୍କ ସମେତ ବିଜେପିର ଶୀର୍ଷ ନେତାମାନେ ବୁଧବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହା ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କ୍ଷମତାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଜୁଲାଇ ୩ ତାରିଖରେ ପ୍ରଗତି ମଇଦାନରେ ନବନିର୍ମିତ କନଭେନସନ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ବୁଧବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ନଡ୍ଡାଙ୍କ ଉପସ୍ଥିତି ସରକାର ଏବଂ ବିଜେପି ସଂଗଠନରେ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ସୃଷ୍ଟି କରିଛି। ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହେବାକୁ ଯାଉଛି। ସଂସଦର ମୌସୁମୀ ଅଧିବେଶନର କିଛି ଦିନ ପୂର୍ବରୁ ମନ୍ତ୍ରିମଣ୍ଡଳର ବୈଠକ ବସିଛି । ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି । କେନ୍ଦ୍ର କ୍ୟାବିନେଟରୁ କିଛି ମନ୍ତ୍ରୀଙ୍କୁ ବିଜେପି ସଂଗଠନକୁ ଅଣାଯିବାର ସମ୍ଭାବନା ରହିଛି ।