ଏହି ଠକମାନେ ବି ବିଦେଶ ଖସିଯିବେନି ତ ?

ଏବିଜି ସିପୟାର୍ଡର ପୂର୍ବତନ ସିଏମଡି ଓ ଅନ୍ୟ ୮ ଜଣଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଠକେଇ କୁହାଯାଉଥିବା ଏବିଜି ସିପୟାର୍ଡର ପୂର୍ବତନ ସିଏମଡି ରିଷି ଅଗ୍ରଓ୍ବାଲ ଓ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଛି ସିବିଆଇ । ଏମାନେ ଏବେ ବି ଭାରତରେ ଥିବା ସୂଚନା ମିଳିବା ପରେ ସେମାନେ ଯେପରି ବିଦେଶକୁ ପଳାୟନ ନ କରନ୍ତି, ସେଥିପାଇଁ ଏହି ଲୁକଆଉଟ୍ ନୋଟିସ ଜାରି କରାଯାଇଛି ।

ପୂର୍ବରୁ ପିଏନବି ଋଣ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ଓ ମେହୁଲ ଚୋକସୀ ଏବଂ କିଙ୍ଗଫିସର ମାମଲାରେ ବିଜୟ ମାଲ୍ୟା ବିଦେଶ ପଳାୟନ କରିଥିଲେ ଓ ଏପର୍ଯ୍ୟନ୍ତ ସେମାନଙ୍କୁ ଭାରତ ଅଣାଯାଇପାରୁନାହିଁ । ଏପରି ଅପଦସ୍ତ ହେବାରୁ ବର୍ତ୍ତିବା ପାଇଁ ସିବିଆଇ ଲୁକଆଉଟ ନୋଟିସ ଜାରି କରିଥିବା କୁହାଯାଉଛି ।

ସିବିଆଇ ଗତ ଶନିବାର ଏହି ଜାହାଜ ନିର୍ମାଣକାରୀ କମ୍ପାନିର ପ୍ରମୋଟର ଓ ନିର୍ଦ୍ଦେଶକମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା । ଜାଲ କାଗଜପତ୍ର ଦେଖାଇ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୨୨ ହଜାର ୮୪୨ କୋଟି ଟଙ୍କାର ଋଣ ଉଠାଇ ଆତ୍ମସାତ କରିଥିବା ଅଭିଯୋଗରେ ସିବିଆଇ ଏବିବି ସିପୟାର୍ଡ ଓ ତାହାର ନିର୍ଦ୍ଦେଶକ ରିଷି ଅଗ୍ରଓ୍ବାଲ, ସାନ୍ଥନମ ମୁଥୁସ୍ବାମୀ ଓ ଅଶ୍ବିନୀ କୁମାରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ।

ସମ୍ବନ୍ଧିତ ଖବର