ଉତ୍ତରପ୍ରଦେଶରେ ୪୦୦ ଆସନ ଜିତିବୁ, ବିଜେପି କିଛି ପାଇବନି : ଅଖିଳେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବାବେଳେ ରାଜ୍ୟରେ ରାଜନୈତିକ ପ୍ରଚାର ଚରମରେ ପହଞ୍ଚିଛି ।

ଆଜି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଜନଆକ୍ରୋଶ ବଢିଚାଲିଛି । ଏହାର ପ୍ରତିଫଳନ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ । ବିଜେପିକୁ ଗୋଟିଏ ବି ଆସନ ମିଳିବ ନାହିଁ । ସମାଜବାଦୀ ପାର୍ଟି-ରାଷ୍ଟ୍ରୀୟ ଲୋକଦଳ ୪୦୦ଟି ଆସନ ଜିତିବ ଓ ଅବଶିଷ୍ଟ ୩ଟି ଆସନ ଅନ୍ୟ ବିରୋଧୀ ଦଳମାନେ ଜିତିବେ ।

ହଥରସ ଗଣ ଦୁଷ୍କର୍ମ ଘଟଣା ପାଇଁ ସେ ଯୋଗୀ ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପୀଡ଼ିତା ୧୯ ବର୍ଷୀୟ ଯୁବତୀକୁ ଯୋଗୀ ସରକାର ଭଲ ଚିକିତ୍ସା ବି ଯୋଗାଇ ପାରିଲେ ନାହିଁ । ପୀଡ଼ିତା ଓ ତାଙ୍କ ପରିବାରକୁ ଠିକ ନ୍ୟାୟ ମିଳିପାରିଲା ନାହିଁ । ଏପରିକି ସମ୍ମାନର ସହ ଅନ୍ତିମ ସଂସ୍କାର କରିବାକୁ ବି ସୁଯୋଗ ଦିଆଗଲା ନାହିଁ ।

ଏଆଇଏମଏମ ନେତା ଅସଦୁଦ୍ଦିନ ଓଓ୍ବେସିଙ୍କ ଉପରେ ହୋଇଥିବା ଗୁଳିମାଡ଼କୁ ନିନ୍ଦା କରି ସେ କହିଛନ୍ତି ଯେ ଏହା ଉତ୍ତରପ୍ରଦେଶର ଖରାପ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଆସନ୍ତା ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ।

 

 

ସମ୍ବନ୍ଧିତ ଖବର