ବିଦା ହେବେ କି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ?

ବେଜିଂ : ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିଭାବେ ଜଣାଶୁଣା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପଦ ଛାଡ଼ିପାରନ୍ତି କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ । ଏପରି ଏକ ଚର୍ଚ୍ଚା ଉଠିଛି ଚୀନ ସୋସିଆଲ ମିଡିଆରେ ।

ନିକଟରେ ଚୀନର ସର୍ବୋଚ୍ଚ କ୍ଷମତାଶାଳୀ ସଂସ୍ଥା କମ୍ୟୁନିଷ୍ଟ ପାର୍ଟି ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟିର ଏକ ଜରୁରୀ ବୈଠକ ବସିଥିଲା । ଏହି ବୈଠକ ପରେ ସିଙ୍କୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି । କାନାଡାର ଜଣେ ବ୍ଲଗରଙ୍କ ଦ୍ବାରା ଏହି ପ୍ରସଙ୍ଗରେ ପ୍ରସ୍ତୁତ ଏକ ଭିଡିଓ ଏବେ ଚୀନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହାକୁ ଚୀନ ସରକାର ହଟାଇଦେଇଛନ୍ତି ।

ଏହି ବ୍ଲଗରେ କୁହାଯାଇଛି କି ଚଳିତ ବର୍ଷ ଶେଷ ଆଡ଼କୁ ଚୀନ କମ୍ୟୁନିଷ୍ଟ ପାର୍ଟିର ଏକ ଜରୁରୀ ବୈଠକ ବସିବ । ତାହା ପୂର୍ବରୁ ସି ଜିନ ପିଙ୍ଗଙ୍କୁ ଦଳୀୟ ପଦରୁ ହଟାଇଦିଆଯାଇପାରେ । ଦଳୀୟ ପଦରୁ ହଟିବା ପରେ ତାଙ୍କୁ ରାଷ୍ଟ୍ରପତି ପଦରୁ ବି ହଟାଇଦିଆଯିବ । ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରିମିୟର ଲି କେକିଆଙ୍ଗଙ୍କୁ ଦାୟିତ୍ବ ଦିଆଯାଇପାରେ ।

ସୂଚନାଯୋଗ୍ୟ ଯେ, ଚୀନରେ କୋଭିଡ୍ ମହାମାରୀ କୁପରିଚାଳନା, କଠୋର ଲକଡାଉନ୍ ଓ ତାହାଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଚୀନରେ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ପ୍ରବଳ ଚାପରେ ଅଛନ୍ତି ।

ସମ୍ବନ୍ଧିତ ଖବର