ପୁନର୍ବିଚାର ନହେବା ପର୍ଯ୍ୟନ୍ତ ଦେଶଦ୍ରୋହ ଆଇନ କାର୍ଯ୍ୟକାରୀ ହେବ ନାହିଁ କି? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବ୍ରିଟିଶ ଅମଳର ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪କ)ର ପୁନର୍ବିଚାର କରିବାକୁ ଗତକାଲି ଘୋଷଣା କରିଥିଲେ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଆଜି ଏନେଇ ଶୁଣାଣି କରାଯାଇଥିବା ବେଳେ ପୁନର୍ବିଚାର ପାଇଁ କେତେ ସମୟ ଲାଗିବ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର‌ ମେହେଟା ଏହାର ଉତ୍ତର ରଖି କହିଥିଲେ ଯେ, କେତେ ସମୟ ଲାଗିବ ତାହା କହିବା ଅସମ୍ଭବ। ହେଲେ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ତେବେ ଏଭଳି ଉତ୍ତର ପାଇବା ପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ଦେଶଦ୍ରୋହ ଆଇନର ପୁନର୍ବିଚାର ନହେବା ପର୍ଯ୍ୟନ୍ତ ଯେଉଁ ଲୋକଙ୍କ ଊପରେ ଆଇପିସି ଧାରା ୧୨୪କ ଅନୁଯାୟୀ ମାମଲା ରୁଜୁ ହୋଇଛି, ସେସବୁ ମାମଲାର କ’ଣ ହେବ? ଆଇପିସି ଧାରା ୧୨୪କ ଅନୁଯାୟୀ ଆଗକୁ ମାମଲା ରୁଜୁ ହେବ ନାଁ ନାହିଁ?  ଏଭଳି ପ୍ରଶ୍ନ କରିବା ସହ ଆସନ୍ତାକାଲି ସୁଦ୍ଧା ଏହାର ଉତ୍ତର ରଖିବାକୁ କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ।

ଗତକାଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଥିଲା ଯେ, ଆଜାଦିକା ଅମୃତ ମହୋତ୍ସବର ମୂଳଭାବନା ଓ ନାଗରିକ ସ୍ବାଧୀନତା ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଦୃଷ୍ଟିରୁ କେନ୍ଦ୍ର ସରକାର ‘ଆଇପିସି ଧାରା ୧୨୪କ’ ର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ସମୟ ଅପଚୟ କରିବା ଉଚିତ ନୁହେଁ ଓ ହେବାକୁ ଥିବା ସମୀକ୍ଷାକୁ ଅପେକ୍ଷା କରନ୍ତୁ ବୋଲି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି  ।

ସମ୍ବନ୍ଧିତ ଖବର