ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଥାଇ ଗିରଫଦାରୀରୁ ସୁରକ୍ଷା ମାଗୁଥିବା ଜଣେ ସରକାରୀ କର୍ମଚାରୀଙ୍କୁ ଆଜି ସୁପ୍ରିମକୋର୍ଟ ପଚାରିଛନ୍ତି, ‘ତୁମେ ତାଙ୍କୁ ବିବାହ କରିବ କି? ଯଦି ବିବାହ କରିବାକୁ ଚାହୁଁଛନ୍ତି ତେବେ ଆମେ ସାହାଯ୍ୟ କରିପାରିବା। ଯଦି ନୁହେଁ, ତେବେ ଚାକିରି ହରାଇ ଜେଲକୁ ଯାଅ। ତୁମେ ଝିଅଟିକୁ ପ୍ରତାରଣା କରିଛ, ତାଙ୍କୁ ବଳାତ୍କାର କରିଛ’.. ବୋଲି ଭାରତର ପ୍ରଧାନ ବିଚାରପତି ଏସ୍ ଏ ବୋବଡେ କହିଛନ୍ତି। ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ଉତ୍ପାଦନ କମ୍ପାନିରେ ଜଣେ ଟେକ୍ନିସିଆନ ମୋହିତ ସୁଭାଷ ଚାଭନଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବା ଅବସରରେ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ ସୋମବାର ଏପରି ମତ ରଖିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ ଉତ୍ପାଦନ କମ୍ପାନିରେ ଜଣେ ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିବା ମୋହିତ ସୁଭାଷ ଚାଭନ ଜନୈକା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ଅଭିଯୁକ୍ତ ଚାଭନଙ୍କ ବିରୋଧରେ ‘ପେକ୍ସୋ’ ଆଇନରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଥିଲା।
ମାମଲାର ଅଭିଯୋଗ ପାଇଁ ପୁଲିସ ନିକଟକୁ ଯିବାବେଳେ ଅଭିଯୁକ୍ତଙ୍କ ମା ବିବାହ ପ୍ରସ୍ତାବ ଦେଇଥିଲେ। ସେତେବେଳେ ଅଭିଯୁକ୍ତ ଏକ ଲିଖିତ ଦଲିଲରେ ସ୍ୱାକ୍ଷର କରି କହିଥିଲେ ଯେ ନାବାଳିକାଙ୍କୁ ୧୮ ବର୍ଷ ହୋଇଯିବା ପରେ ସେ ତାଙ୍କୁ ବିବାହ କରିବେ। କିନ୍ତୁ, ଏବେ ସେ ନାବାଳିକାଙ୍କୁ ବିବାହ ପାଇଁ ଅରାଜି ହେବାରୁ ମାମଲା ଆଉଥରେ ପୁଲିସ୍ ନିକଟକୁ ଆସିଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ୍ ଖୋଜୁଛି।