ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଚଳିତବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ତୌକ୍‌ତେ ଇତିମଧ୍ୟରେ ଅତି ଭୟଙ୍କର ରୂପ ଧାରଣ କରି ସାରିଛି। ଏହାର ପ୍ରଭାବରେ ଭାରତର ପଶ୍ଚିମ ଉପକୂଳରେ ଥିବା ରାଜ୍ୟ ଗୋଆଠାରୁ ଆରମ୍ଭ କରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଆଦିରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାତ୍ୟା ସୋମବାର ରାତି ୮ଟା ୩୦ରେ ଗୁଜରାଟ ଉପକୂଳକୁ ମାଡ଼ ହୋଇଛି। ଭୂମିସ୍ପର୍ଶ ସମୟଠାରୁ ପ୍ରାୟ ୩ ଘଣ୍ଟା ଧରି ଗୁଜରାଟରେ ବାତ୍ୟା ପ୍ରଳୟ ରଚିଛି। ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଜୋରରେ ପବନ ‌ବହୁଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ଏଥିଯୋଗୁ ଖାଲୁଆ ଅଞ୍ଚଳରେ ପାଣି ପଶିଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଥିବାରୁ ଗୁଜରାଟ ପ୍ରଶାସନ ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛି। ବାତ୍ୟା ପାଇଁ ଅହମଦାବାଦ, ସୁରତ ଏବଂ ଭଦୋଦରାକୁ ‌ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

Advertisment

ବାତ୍ୟା ତୌକତେ ପାଇଁ ଗୁଜରାଟ ସରକାର ଖାଲୁଆ ଅଞ୍ଚଳର ‌ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। ବାତ୍ୟା ମୁକାବିଲା ପାଇଁ ଗୁଜରାଟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। କୋଭିଡ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜରୁରୀ ସ୍ଥିତିରେ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ୧୦୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଛି।

‌ସେହିଭଳି ଆଜି ତୌକତେ ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମୟରେ ପ୍ରଳୟ ରଚିଛି। ମୁମ୍ବାଇରେ ଘଣ୍ଟା ପ୍ରତି ୧୧୪ କିମି ବେଗରେ ପବନ ବହିଛି। କେବଳ ସେତିକି ନୁହେଁ, ମୁମ୍ବାଇ ମହାନଗରୀ ସମୁଦ୍ର କୂଳରେ ୩.୯୫ ମିଟରର ଉଚ୍ଚ ଜୁଆର ଉଠିଥିଲା। ପରିସ୍ଥିତି ସଂପର୍କରେ ଅବଗତ ହେବା ଏବଂ ପ୍ରସ୍ତୁତି ସଂପର୍କରେ ଜାଣିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହିତ କଥା ହୋଇଛନ୍ତି। ଏଥିସହିତ ବାତ୍ୟା ଦ୍ବାରା ଗୋଆର କ୍ଷୟକ୍ଷତି ସଂପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସହ ମଧ୍ୟ ଆଜି କଥା ହୋଇଛନ୍ତି।

ବର୍ଷା ଏବଂ ପବନ ଯୋଗୁ ଆକାଶମାର୍ଗରେ ଦୃଶ୍ୟମାନତା କମିଯିବା ଫଳରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପର୍ଯ୍ୟାୟକ୍ରମେ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଜୋରରେ ପବନ ବହୁଥିବାରୁ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ରେ ଯାତାୟତକୁ ଅନୁମତି ଦିଆଯାଇ ନଥିଲା। ସେହିଭଳି ଲୋକାଲ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା ଏବଂ ପବନ ଦ୍ବାରା ରାସ୍ତାଘାଟ ବୁଡ଼ିଯିବା ସହିତ ଅନେକ କ୍ଷୟକ୍ଷତି ହୋଇଛି। ବାତ୍ୟା ଯୋଗୁ ଶନିବାର ଗୋଆରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ମୋଟ ୧୬ ଜଣଙ୍କର ଜୀବନ ଯାଇଛି। ସେଥିରୁ କର୍ଣ୍ଣାଟକ ଓ ଗୋଆରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସେନା କିଭଳି ପ୍ରସ୍ତୁତି ରହିଛି ତାହାର ସମୀକ୍ଷା ମଧ୍ୟ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରିଛନ୍ତି।

୨୦ବର୍ଷ ଭିତରେ ସବୁଠୁ ଭୟଙ୍କର

ଗୁଜରାଟରେ ଗତ ୨୦ ବର୍ଷ ମଧ୍ୟରେ ଏଭଳି ବାତ୍ୟା ଦେଖାଯାଇ ନଥିଲା। ପୂର୍ବରୁ ୧୯୯୮ ମସିହାରେ କାଣ୍ଡଲାରେ ଏକ ବଡ଼ ବାତ୍ୟା ହୋଇଥିଲା ଏବଂ ଏଥିରେ ବିପୁଳ କ୍ଷତି ହୋଇଥିଲା। ଅତିକମ୍‌ରେ ୪୦୦୦ ଲୋକ ପ୍ରାଣ ହରାଇଥିଲେ। ଲକ୍ଷାଧିକ ଲୋକଙ୍କ ଧନଜୀବନ ବିପ‌ଦରେ ପଡ଼ିଥିଲା।

ଜାମନଗରରୁ ଅକ୍ସିଜେନ୍ ଯୋଗାଣ ବ୍ୟାହତ ହୋଇପାରେ
ଗୁଜରାଟର ଜାମନଗରଠାରେ ରିଲାଏନ୍ସର ତୈଳ ବିଶୋଧନାଗାରରୁ ବିଭିନ୍ନ ସ୍ଥାନକୁ ଅକ୍ସିଜେନ ଯୋଗାଇ ଦିଆଯାଉଛି। ବାତ୍ୟା ପ୍ରଭାବରେ ଅକ୍ସିଜେନ୍ ଯୋଗାଣ ଯେଭଳି ଖୁବ୍‌ କମ୍‌ ପ୍ରଭାବିତ ତାହା ଉପରେ ନଜର ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନି‌ର୍ଦ୍ଦେଶ ଦେଇଛନ୍ତି। ତେବେ ଅକ୍ସିଜେନ ଯୋଗାଣ ଯେଭଳି ଅବ୍ୟାହତ ରହେ ତାହାକୁ ନିଶ୍ଚିତ କରିବା ଲାଗି ରିଲାଏନ୍ସ କାର୍ଯ୍ୟ କରୁଛି। କିନ୍ତୁ କିଛି ଘଣ୍ଟା ପାଇଁ ଅକ୍ସିଜେନ ଉତ୍ପାଦନ ବନ୍ଦ ରଖିବାକୁ କମ୍ପାନି ବାଧ୍ୟ ହୋଇପାରେ ବୋଲି କହିଛି।
କୋଭିଡ ନିୟମ ପାଳନ ସହ ଉଦ୍ଧାର କାର୍ଯ୍ୟ
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆର୍‌ଏଫ୍‌) ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ୧୦୦ରୁ ଅଧିକ ଟିମ୍ ପଠାଯାଇଛି ବୋଲି ଏହାର ମହାନିର୍ଦ୍ଦେଶକ ଏସ ଏନ ପ୍ରଧାନ ସୂଚନା ଦେଇଛନ୍ତି। କେବଳ ‌କରୋନା ଟିକା ନେଇଥିବା କର୍ମଚାରୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଗଛ କାଟିବା ପାଇଁ ସେମାନଙ୍କୁ ମେସିନ୍ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ସାମାଜିକ ଦୂରତା ଏବଂ କରୋନା ପାଇଁ ଜାରି ଅନ୍ୟ ନିୟମ ମାନ ଉଦ୍ଧାର କାର୍ଯ୍ୟ କରାଯାଉଛି।

ବିମାନ, ଜାହାଜ ମୁତୟନ
ଏନଡିଆରଏଫର ୧୬୭ ଜଣ କର୍ମଚାରୀ ଏବଂ ୧୬.୫ ଟନ ଉପକରଣ କୋଲକାତାରୁ ଅହମଦାବାଦକୁ ପଠାଇବା ପାଇଁ ସି-୧୩୦ ଜେ ଏବଂ ଏଏନ-୩୨ ବିମାନ ପ୍ରସ୍ତୁତ ରଖାଯାଇଛି। ଏଥିସହିତ ନୌସେନା ପକ୍ଷରୁ ରବିବାର କେରଳରେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଜାରି ରହିଥିବା‌ବେଳେ ଏବେ ଗୁଜରାଟରେ ସେମାନଙ୍କୁ ମୁତୟନ କରାଯାଇଛି। ବମ୍ବେ ହାଇ ଅଞ୍ଚଳରେ ତୈଳ ଏବଂ ଗ୍ୟାସ ଉତ୍ତୋଳନ କାର୍ଯ୍ୟରେ ୨୭୩ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେନାର ଯୁଦ୍ଧଜାହାଜ ଆଇଏନଏସ କୋଚିକୁ ପଠାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନଠାରୁ ଅଧିକ ଶକ୍ତିଶାଳୀ
ବାତ୍ୟାର ପ୍ରଭାବ ଯାହା ରହିବ ବୋଲି ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରିଥିଲା ତାହା ବଦଳିଯାଇଛି। ସମୁଦ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ଯୋଗୁ ବାତ୍ୟା ହଠାତ୍‌ ‌ଅଧିକ ଶକ୍ତିଶାଳୀ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗର ମହାନି‌ର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।