ମଦିରା ମଦ ନୁହେଁ କହି ସୁପର୍‌ମାର୍କେଟ୍‌ରେ ମଦିରା ବିକ୍ରି ପାଇଁ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ: ମଦିରା ମଦ ନୁହେଁ (ୱାଇନ୍‌ ଇଜ୍‌ ନଟ୍‌ ଲିକର୍‌)। ମଦିରା ବିକ୍ରି ବଢ଼ିଲେ କୃଷକମାନେ ଉପକୃତ ହେବେ। କୃଷକମାନଙ୍କର ଆୟ ଦୁଇଗୁଣ କରିବା ପାଇଁ ଆମେ ଏଭଳି କରିଛୁ ବୋଲି ସୁପର୍‌ମାର୍କେଟ୍‌ରେ ମଦିରା ବିକ୍ରି ପାଇଁ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଆଜି ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି।

ଉଲ୍ଲେଖନୀୟ, ସୁପର୍‌ମାର୍କେଟ୍‌ ଏବଂ ୱାକ୍‌-ଇନ୍‌ ସପ୍‌ରେ ମଦିରା (ୱାଇନ୍‌) ବିକ୍ରୟ ପାଇଁ ଉଦ୍ଧବ ଠାକ୍‌ରେ ନେତୃତ୍ବାଧୀନ ମହାରାଷ୍ଟ୍ରଙ୍କ ନିଷ୍ପତ୍ତିକୁ ‘ବିଜେପି’ ତୀବ୍ର ସମାଲୋଚନା କରିଛି। ‘ବିଜେପି’ ନେତାମାନେ କହିଛନ୍ତି ଯେ, ରାଜ୍ୟ ସରକାର ମଦ୍ୟପାନକୁ ପ୍ରୋତ୍ସାହନ ଦେଉଛନ୍ତି।

ଏହାର ପ୍ରତ୍ୟୁତ୍ତରରେ ସଞ୍ଜୟ ରାଉତ କହିଛନ୍ତି, ‘ବିଜେପି’ କେବଳ ବି‌ରୋଧ କରିବା ଛଡ଼ା କୃଷକମାନଙ୍କ ଉପକାର ପାଇଁ କିଛି କରେନାହିଁ।

ଫଳଭିତ୍ତିକ ମଦିରା ପ୍ରତିଷ୍ଠାନର ଉନ୍ନତି କରିବା ସହ କୃଷକମାନଙ୍କୁ ଅତିରିକ୍ତ ଉପାର୍ଜନ ଦେବ କହି ସୁପର୍‌ମାର୍କେଟ୍ ଏବଂ ୱାକ୍‌-ଇନ୍‌ ସପ୍‌ରେ ତାହା ବିକ୍ରୟ ପାଇଁ ଗୁରୁବାର ଦିନ ମହାରାଷ୍ଟ୍ର କ୍ୟାବିନେଟ୍‌ ଆଗତ ପ୍ରସ୍ତାବକୁ ଅନୁମ‌ୋଦନ କରିଛି।

Image Courtesy of Free Press Journal

(ସୂଚନାଯୋଗ୍ୟ, ଇଂରାଜୀ ଶବ୍ଦ ‘ୱାଇନ୍‌’ ଓ ‘ଲିକର୍‌’ ମଧ୍ୟରେ ପ୍ରଭେଦ ରହିଛି। ମୁଖ୍ୟତଃ ଅଙ୍ଗୁର ଆଦି ଫଳକୁ ପଚାଯାଇ ‘ୱାଇନ୍‌’ ପ୍ରସ୍ତୁତି କରାଯାଏ ଓ ଏଥିରେ ଆଲ୍‌କହଲ୍‌ ମାତ୍ରା ପ୍ରାୟ ୧୫% ଥାଏ। କିନ୍ତୁ, ‘ଲିକର୍‌’ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ ଏବଂ ଏଥିରେ ୩୦% ଆଲ୍‌କହଲ୍‌ ଥାଏ।)

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତି ଅନୁସାରେ, ୧୦୦୦ ବର୍ଗଫୁଟ୍‌ କିଂବା ତା’ଠାରୁ ଅଧିକ ଜାଗା ଥାଇ ମହାରାଷ୍ଟ୍ର ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଆଇନରେ ପଞ୍ଜିକୃତ ହୋଇଥିବା ସୁପର୍‌ମାର୍କେଟ୍‌ ଏବଂ ଷ୍ଟୋର୍‌ଗୁଡ଼ିକ ‘ସେଲ୍‌ଫ୍‌-ଇନ୍‌-ସପ୍‌’ ପଦ୍ଧତି ଆପଣାଇ ପାରିବେ।

କିନ୍ତୁ, ଉପାସନାସ୍ଥଳୀ ଏବଂ ଶିକ୍ଷା ପ୍ରତିଷ୍ଠାନ ନିକଟରେ ଥିବା ସୁପର୍‌ମାର୍କେଟ୍‌ଗୁଡ଼ିକୁ ମଦିରା ବିକ୍ରୟ ପାଇଁ ଅନୁମତି ମିଳିବ ନାହିଁ। ଏହା ବ୍ୟତିରେ‌କେ, ମଦ୍ୟ ନିଷିଦ୍ଧାଦେଶ ବଳବତ୍ତର ଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ମଦିରା ବିକ୍ରୟ ପାଇଁ ଅନୁମତି ମିଳିବ ନାହିଁ।

ସମ୍ବନ୍ଧିତ ଖବର