ଅଭିନନ୍ଦନଙ୍କୁ ‘ବୀର ଚକ୍ର’

ବାୟୁସେନା ମହିଳା ଅଧିକାରୀଙ୍କୁ ଯୁଦ୍ଧ ସେବା ମେଡାଲ, ୫ ପାଇଲଟ୍‌ଙ୍କୁ ବାୟୁ ସେନା ମେଡାଲ

ନୂଆଦିଲ୍ଲୀ : ସ୍ବାଧୀନତା ଦିବସ ଅବସରରେ ସରକାର ବୀରତା ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ବୀର ଚକ୍ର’ରେ ସମ୍ମାନିତ କରାଯିବ। ଦେଶର ୭୩ ତମ ସ୍ବାଧୀନତା ଦିବସରେ ଅଭିନନ୍ଦନଙ୍କୁ ‘ବୀର ଚକ୍ର’ ପଦକ ପ୍ରଦାନ କରାଯିବ। ଏହା ବ୍ୟତୀତ ସ୍କ୍ବାଡ୍ରନ୍‌ ଲିଡର ମିଣ୍ଟି ଅଗ୍ରୱାଲଙ୍କୁ ଯୁଦ୍ଧ ସେବା ମେଡାଲ ଦିଆଯିବ। ବାଲାକୋଟ ବିମାନ ଆକ୍ରମଣର ଦିନକ ପରେ ତଥା ଫେବ୍ରୁଆରି ୨୭ ତାରିଖରେ ଅଭିନନ୍ଦନ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ଖସାଇଥିଲେ। ଅଭିନନ୍ଦନ ବିମାନ ଉଡ଼ାଉଥିବା ବେଳେ ମିଣ୍ଟି କଂଟ୍ରୋଲ ରୁମ୍‌ରେ ରହି ତାଙ୍କୁ ସହାୟତା କରୁଥିଲେ। କିନ୍ତୁ ପାକିସ୍ତାନର ଯବାନଙ୍କ ହାତରେ ସେ ଧରା ପଡ଼ିବା ପରେ ମଧ୍ୟ ଅପୂର୍ବ ସାହସିକତା ଦେଖାଇଥିଲେ। ଭାରତର ସଫଳ କୂଟନୀତି ଯୋଗୁଁ ପାକିସ୍ତାନ ଅଭିନନ୍ଦନଙ୍କୁ ସସମ୍ମାନେ ଭାରତ ଫେରାଇ ଦେଇଥିଲା। ଅଭିନନ୍ଦନଙ୍କର ଏହି ସାହସିକତା ପାଇଁ ତାଙ୍କୁ ‘ବୀର ଚକ୍ର’ ପ୍ରଦାନ କରାଯିବ। ସେହିପରି ବାଲାକୋଟ୍‌ ବିମାନ ଆକ୍ରମଣରେ ସାମିଲ ଥିବା ବାୟୁସେନାର ଅନ୍ୟ ୫ ଜଣ ପାଇଲଟ୍‌ଙ୍କୁ ମଧ୍ୟ ‘ବାୟୁ ସେନା ’ ପୁରସ୍କାର ମିଳିବ। ଏମାନେ ହେଉଛନ୍ତି ୱିଙ୍ଗ୍‌ କମାଣ୍ଡର ଅମିତ ରଂଜନ, ସ୍କ୍ବାଡ୍ରନ୍‌ ଲିଡର ରାହୁଲ ବସୋୟା, ପଙ୍କଜ ଭୁଜାଡ଼େ, ବିକେଏନ୍‌ ରେଡ୍ଡି ଏବଂ ଶଶାଙ୍କ ସିଂହ।

ସିଆରପିଏଫ୍‌କୁ ସବୁଠାରୁ ଅଧିକ ୭୫ଟି ବୀରତା ପୁରସ୍କାର ମିଳିଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଏବଂ ନକ୍ସଲ୍‌ ବିରୋଧୀ ଅପରେସନ୍‌ ପାଇଁ ସିଆରପିଏଫ୍‌କୁ ଗୋଟିଏ କୀର୍ତ୍ତି ଚକ୍ର ଏବଂ ୨ଟି ସୌର୍ଯ୍ୟ ଚକ୍ର ସହ ୭୫ଟି ବୀରତା ପୁରସ୍କାର ମିଳିଛି।। ହର୍ଷପାଲ୍‌ ସିଂହଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ଶାନ୍ତି ସମୟର ପୁରସ୍କାର କୀର୍ତ୍ତି ଚକ୍ର ଦିଆଯିବାକୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର