ନୂଆଦିଲ୍ଲୀ : ନିଜର ପରାକ୍ରମ ପାଇଁ ଆଜି ଦେଶବାସୀଙ୍କୁ ଗର୍ବିତ କରିଥିବା ବାୟୁସେନା ଯବାନ ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମାତୃଭୂମି ପାଇଁ ଜଣେ ସୁଯୋଗ୍ୟ ସନ୍ତାନର ମାନ୍ୟତା ରଖିବା ସହ ନିଜ ପିତାଙ୍କ ପେସାକୁ ଆପଣାଇ ନିଜ ପରିବାରକୁ ମଧ୍ୟ ଗୌରବମଣ୍ଡିତ କରିଛନ୍ତି।  ଅଭିନନ୍ଦନଙ୍କ ପିତା ସୀମାକୁଟ୍ଟି ବର୍ଦ୍ଧମାନ ମଧ୍ୟ ଭାରତୀୟ ବାୟୁସେନାର ଜଣେ  ପ୍ରାକ୍ତନ ଅଧିକାରୀ ଥିଲେ। ଛଅ ବର୍ଷ ତଳେ ବାୟୁସେନାରୁ ଅବସର ନେଇଥିବା ଏୟାର ମାର୍ସାଲ୍ ସୀମାକୁଟ୍ଟି ୪୦ ପ୍ରକାର ବିମାନ ଚଳାଇଥିବା ବେଳେ ୧୯୯୯ କାର୍ଗିଲ ଯୁଦ୍ଧରେ ଗ୍ବାଲିଅର ବାଯୁସେନା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ ଥିଲେ। ସେହିପରି ୨୦୦୧ ଡିସେମ୍ବର ସଂସଦ ଆକ୍ରମଣ ବେଳେ ତାଙ୍କ ନେତୃତ୍ବରେ ହିଁ ପଶ୍ଚିମ ଭାଗର ଏକ ବାୟୁସେନା ଘାଟି ପରିଚାଳିତ ହୋଇଥିଲା। ୨୦୦୨ରେ ପୂର୍ବ ଭାଗରେ ମିଗ୍-୨୧ ଲଢୁଆ ସ୍କ୍ବାଡ୍ରନର ନେତୃତ୍ବ ନେଇଥିବା ସୀମାକୁଟ୍ଟିଙ୍କୁ ବିଶିଷ୍ଟ ସେବା ପଦକ ମିଳିଥିଲା। ତାଙ୍କର ଯୋଗ୍ୟ ପୁଅ ହିସାବରେ ଅଭିନନ୍ଦନ ବାୟୁସେନାରେ ଯୋଗଦେବା ସହ ମିଗ୍-୨୧ ଉଡ଼ାଇ ନିଜର ପରାକାଷ୍ଠା ଦେଖାଇଛନ୍ତି। ସୂଚନା ଥାଉ କି, ଅଭିନନ୍ଦନଙ୍କ ଜେଜେ ମଧ୍ୟ ଭାରତୀୟ ବାୟୁସେନାରେ ସେବା କରିଥିବା ଜାଣବାକୁ ମିଳିଛି।