ସରିଲା ଶୀତ ଅଧିବେଶନ: ଲୋକସଭାରେ ୧୪, ରାଜ୍ୟସଭାରେ ୧୫ ବିଲ୍‌ ଗୃହୀତ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନ ଅତ୍ୟନ୍ତ ସଫଳ ଓ ପ୍ରଳପ୍ରଦ ସାବ୍ୟସ୍ତ ହୋଇଛି। ଚଳିତ ଅଧିବେଶନରେ ଲୋକସଭାରେ ୧୧୬ ପ୍ରତିଶତ କାମ ହୋଇଥିବା ବେଳେ ରାଜ୍ୟସଭାରେ ୧୦୦ ପ୍ରତିଶତ କାମ ‌ହୋଇଛି। ଶୀତ ଅଧିବେଶନରେ ଲୋକସଭାରେ ୧୮ଟି ବିଲ୍‌ ଆଗତ ହୋଇଥିବା ବେଳେ ଏଥିରୁ ୧୪ଟି ବିଲ୍‌ ଗୃହୀତ ହୋଇଛି ଏବଂ ରାଜ୍ୟସଭାରେ ୧୫ଟି ବିଲ୍‌ ଗୃହୀତ ହୋଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ସାମ୍ବାଦିକମାନଙ୍କୁ ଏ ସଂପର୍କିତ ସୂଚନା ଦେଇଛନ୍ତି। ଚଳିତ ଅଧିବେଶନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଗୃହୀତ କରାଇବାରେ ସଫଳ ହୋଇଛନ୍ତି।

ଚଳିତ ସଂସଦ ଅଧିବେଶନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସିଏବି (ନାଗରିକତା ସଂଶୋଧନ ବିଲ୍‌)- ୨୦୧୯ ମଧ୍ୟ ଗୃହୀତ ହୋଇଛି। ଏହି ବିଲ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ମଂଜୁରି ଦେବାପରେ ଏହା ଏବେ ଆଇନରେ ପରିଣତ ହୋଇଛି। ତେବେ ଆଜି ଶେଷ ଦିବସରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗୃହ କାର୍ଯ୍ୟ ଦୁଇଥର ମୁଲତବୀ ରଖିଥିଲେ। ଗତ ନଭେମ୍ବର ୧୮ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ‌ହୋଇଥିଲା। । ଗତ ନଭେମ୍ବର ୧୮ରେ ରାଜ୍ୟସଭାର ୨୫୦ ତମ ଅଧିବେଶନ ଥିଲା। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରି କ୍ଷମତାକୁ ଫେରିବା ପରେ ଏହା ଦ୍ବିତୀୟ ଅଧିବେଶନ ଥିଲା।

ସମ୍ବନ୍ଧିତ ଖବର