ଆଜିଠୁ ଶୀତ ଅଧିବେଶନ: ସର୍ବଦଳୀୟ ‌ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ବିରୋଧୀଙ୍କ ସମାଲୋଚନା

ଆପ୍‌ର କକ୍ଷତ୍ୟାଗ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେଉଛି। ଏହି ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି। ଚଳିତ ଶୀତ ଅଧିବେଶନରେ କୃଷି ଆଇନ ଉଚ୍ଛେଦ ବିଲ୍‌ ଆସିବ। ପ୍ରଥମ ଦିବସରେ ହିଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କୃଷି ଆଇନ ଉଚ୍ଛେଦ ବିଲ୍‌ ସଂସଦରେ ଆଗତ କରିପାରନ୍ତି।

ଅଧିବେଶନ ପୂର୍ବରୁ ଆଜି ଏକ ସର୍ବଦଳୀୟ ବୈଠକ ହୋଇଥିଲା। ୩୧ଟି ରାଜନୈତିକ ଦଳର ମୋଟ୍‌ ୪୨ ଜଣ ନେତା ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବାର ଥିଲା। ତେବେ କେତେକ କାରଣରୁ ପ୍ରଧାନମନ୍ତ୍ରୀ ବୈଠକରେ ଯୋଗ ଦେଇପାରି ନଥିବାରୁ ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ ଯୋଗ ଦେବେ ବୋଲି ଆମେ ଆଶା କରୁଥିଲୁ। କୃଷି ଆଇନ ସଂକ୍ରାନ୍ତରେ ଆମେ ଅଧିକ ପ୍ରଶ୍ନ କରିଥାନ୍ତୁ। କିନ୍ତୁ ପ୍ରଧାନମନ୍ତ୍ରୀ ବୈଠକକୁ ନ ଆସିବା ଆମକୁ ନିରାଶ କରିଛି ବୋଲି ସେ କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବା ପରମ୍ପରା ପୂର୍ବରୁ ନଥିଲା। ପ୍ରଧାନମନ୍ତ୍ରୀ ମୋଦୀ ହିଁ ଏହି ପରମ୍ପରା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ବୈଠକକୁ କେବଳ ସଂସଦୀୟ ବ୍ୟାପାର ମନ୍ତ୍ରୀମାନେ ଆସୁଥିଲେ। ଆଜି ପ୍ରଧାନମନ୍ତ୍ରୀ ବୈଠକରେ ଯୋଗ ଦେଇପାରିବେନି ବୋଲି ଯୋଶୀ କହିଥିଲେ।

ବୈଠକ ପରେ ଅଧିକାଂଶ ବିରୋଧୀ ଦଳ ନେତା ପେଗାସସ୍‌ ଗୁଇନ୍ଦା ମାମଲା, ଦର ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି। କିଛି ରାଜ୍ୟରେ ବିଏସଫ୍‌ର ସୀମା କ୍ଷେତ୍ର ଅଧିକାର ପରିସର ବୃଦ୍ଧି ସମ୍ପର୍କରେ ମଧ୍ୟ ସେମାନେ ଆଲୋଚନା ଦାବି କରିଛନ୍ତି। ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଡେରେକ ଓବ୍ରାଏନ୍‌ ଏମଏସ୍‌ପି ସଂକ୍ରାନ୍ତରେ ଆଇନ ଆଣିବା ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ନେତା ମଲିକାର୍ଜୁନ ଖଡ଼ଗେ କହିଛନ୍ତି, ଦେଶରେ ଲଗାମଛଡ଼ା ଦରବୃଦ୍ଧି, ତୈଳ ଦର ବୃଦ୍ଧି, କୃଷକ ପ୍ରସଙ୍ଗ ଏବଂ କୋଭିଡ୍‌ ମହାମାରୀ ପରି ବିଷୟ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସରକାର ବିନା ବାଧାରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସରକାର ଆଶା ରଖିଛନ୍ତି ଯେ, ସଂସଦ‌ରେ ଭଲ ଆଲୋଚନା ହେବ। ଆପ୍‌ ନେତା ସଂଜୟ ସିଂହ ବୈଠକ ଅଧାରୁ ଛାଡ଼ି ପଳାଇଥିଲା। ସେ କହିଛନ୍ତି, କୃଷକଙ୍କ ସଂକ୍ରାନ୍ତରେ ଏବଂ ଏମ୍‌ଏସପି ନେଇ ବିଲ୍‌ ଆଣିବା ନେଇ ଆଲୋଚନା ହେବା ସେ ଚାହିଥିଲେ କିନ୍ତୁ ତାଙ୍କୁ କିଛି କହିବାର ସୁ‌ଯୋଗ ମିଳିଲାନି। ଏଭଳି ବୈଠକର ଅର୍ଥ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଜି ସର୍ବଦଳୀୟ ବୈଠକରେ ଯୋଗ ଦେଇଥିବା ପ୍ରମୁଖ ବିରୋଧୀ ଦଳ ନେତାମାନେ ହେଉଛନ୍ତି କଂଗ୍ରେସର ମଲିକାର୍ଜୁନ ଖଡ଼ଗେ, ଅଧୀର ରଂଜନ ଚୌଧୁରୀ, ଆନନ୍ଦ ଶର୍ମା, ଡିଏମ୍‌କେର ଟିଆର୍‌ ବାଲୁ ଏବଂ ତିରୁଚି ଶିବ, ଏନ୍‌ସିପିର ଶରଦ ପାୱାର, ଶିବସେନାର ବିନାୟକ ରାଉତ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ବିଏସ୍‌ପିର ସତୀଶ ମିଶ୍ର, ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏବଂ ଏନ୍‌ସି ନେତା ଫାରୁକ ଅବଦୁଲ୍ଲା। ଉଲ୍ଲେଖଯୋଗ୍ୟ, ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶନ ଡିସେମ୍ବର ୨୩ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର