ସରିଲା ଶୀତ ଅଧିବେଶନ: ଲୋକସଭାରେ ୭୮%, ରାଜ୍ୟସଭାରେ ୫୪ ପ୍ରତିଶତ କାମ

ଲୋକସଭାରେ ୧୨, ରାଜ୍ୟସଭାରେ ୯ ବିଲ୍‌ ଗୃହୀତ

ନୂଆଦିଲ୍ଲୀ: ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନ ଆଜି ଶେଷ ହୋଇଛି। ଏହି ଅଧିବେଶନରେ ଲୋକସଭାର କାର୍ଯ୍ୟ ଗତ ମୌସୁମି ଅଧିବେଶନ ଅପେକ୍ଷା ଅଧିକ ଫଳପ୍ରଦ ହୋଇଥିବାରୁ ସରକାର ଅଶ୍ୱସ୍ତ ହୋଇଛନ୍ତି। ତେବେ ରାଜ୍ୟସଭାରେ ସରକାରଙ୍କୁ ନୈରାଶ୍ୟ ମିଳିଛି। ଲୋକସଭାରେ ତିନି ତଲାକ୍‌ ବିଲ୍‌ ସମେତ ମୋଟ ୧୨ଟି ବିଲ୍‌ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ୯ଟି ବିଲ୍‌ ଗୃହୀତ ହୋଇଛି । ବାଚସ୍ପତି ସୁମିତ୍ରା ମହାଜନ ଆଜି ଅଧିବେଶନ ମୁଲତବୀ ଘୋଷଣା କରି କହିଥିଲେ ଯେ ୧୩ଟି କାର୍ଯ୍ୟ ଦିବସରେ ୬୧ ଘଣ୍ଟା ୪୮ ମିନିଟ୍‌ ଗୃହ କାର୍ଯ୍ୟ ହୋଇଛି ଏବଂ ପ୍ରାୟ ୧୫ ଘଣ୍ଟା ବିଶୃଙ୍ଖଳା ଯୋଗୁଁ ବରବାଦ ହୋଇଛି । ରାଜ୍ୟ ସଭାରେ ୩୪ ଘଣ୍ଟା ହଙ୍ଗାମା ଯୋଗୁଁ ବରବାଦ ହୋଇଥିବା ଅଧ୍ୟକ୍ଷ ଭେଙ୍କୟା ନାୟିଡ଼ୁ ସୂଚନା ଦେଇଛନ୍ତି।

ଚଳିତ ଅଧିବେଶନରେ ଲୋକସଭାରେ ଗୃହୀତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍‌ଗୁଡ଼ିକ ମଧ୍ୟରେ କେନ୍ଦ୍ର ରୋଡ ପାଣ୍ଠି ସଂଶୋଧନ ବିଲ୍‌, ସ୍ଥାବର ସମ୍ପତ୍ତି ସଂକ୍ରାନ୍ତ ବିଲ୍‌, ଜାତୀୟ ରାଜଧାନୀ ଦିଲ୍ଲୀ ଆଇନ ବିଲ୍‌ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌୍‌ଟି) ସଂଶୋଧନ ବିଲ୍‌ ଆଦି ଅନ୍ତର୍ଭୁକ୍ତ। ହାଇକୋର୍ଟ ଏବଂ ସୁପ୍ରିମ୍‌ କୋର୍ଟର ବିଚାରପତିଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍‌ ମଧ୍ୟ ଚଳିତ ଅଧିବେଶନରେ ଗୃହୀତ ହୋଇଛି। ଏଥର ଅଧିବେଶନରେ ସରକାର ୧୬ଟି ନୂଆ ବିଲ୍‌ ଆଗତ କରିଛନ୍ତି। ଲୋକସଭାରେ ୭୮ ପ୍ରତିଶତ କାମ ହୋଇଥିବା ବେଳେ ଗତ ମୌସୁମି ଅଧିବେଶରେ ୬୭ ପ୍ରତିଶତ କାମ ହୋଇଥିଲା। ତେବେ ରାଜ୍ୟସଭାରେ ଏଥର ବିଶେଷ କାମ ହୋଇନାହିଁ। ଗତ ମୌସୁମି ଅଧିବେଶନରେ ରାଜ୍ୟସଭାରେ ୭୨ ପ୍ରତିଶତ କାମ ହୋଇଥିବା ବେଳେ ଏଥର ମାତ୍ର ୫୪ ପ୍ରତିଶତ କାମ ହୋଇଛି ।

ମୌସୁମି ଅଧିବେଶନରେ ଉଭୟ ଗୃହରେ ୨୫ଟି ବିଲ୍‌ ଆଗତ ହୋଇଥିବା ବେଳେ ସେଥିରୁ ୯ଟି ହିଁ ଗୃହୀତ ହୋଇଥିଲା। ଶୀତ ଅଧିବେଶନରେ ମୁଖ୍ୟତଃ ତିନି ତଲାକ ବିଲ୍‌କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଜାତୀୟ ମେଡିକାଲ କମିସନ ବିଲ୍‌ ମଧ୍ୟ ଆଗତ ହେବା ଗୁରୁତ୍ୱପୂର୍ଣ୍ଣ ଥିଲା। ଗୁଜରାଟ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପାକ୍‌ ଅଧିକାରୀଙ୍କ ସହ କରିଥିବା ବୈଠକକୁ ନେଇ ଦେଇଥିବା ବୟାନକୁ ନେଇ ଉଭୟ ଗୃହରେ ଜୋର୍‌ଦାର ହଙ୍ଗାମା ହୋଇଥିଲା। ତେବେ ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲିଙ୍କ ସଫେଇ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ଏହା ବ୍ୟତୀତ ମହାରାଷ୍ଟ୍ର ହିଂସା, କୁଳଭୂଷଣ ଯାଦବ ମାମଲା, ଆସାମ ଏନ୍‌ଆର୍‌ସି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧିତ ଖବର