ଡିସେମ୍ବର ୧୫ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏବଂ ଏହା ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ଆଜି ଏ ସଂପର୍କରେ ଔପଚାରିକ ଭାବେ ଘୋଷଣା କରିଛନ୍ତି। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶୀତ ଅଧିବେଶନ ମୋଟ ୧୪ ଦିନ ଚାଲିବ। ଅନନ୍ତ କୁମାର କହିଛନ୍ତି ଯେ ପୂର୍ବରୁ ମଧ୍ୟ ଅନେକ ଥର ଶୀତ ଅଧିବେଶନ ଡିସେମ୍ବରରୁ ଆରମ୍ଭ ହୋଇ ଜାନୁଆରି ପର୍ଯ୍ୟନ୍ତ ଚାଲିବା ନଜିର ରହିଛି । ଆଗାମୀ ଅଧିବେଶନରେ ତିନି ତଲାକ ବିଲ୍‌ ଏବଂ ପଛୁଆବର୍ଗ କମିସନ ବିଲ୍‌ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରହିବ। ଦେଶବାସୀଙ୍କ ଆଶାନୁରୂପ ଏହି ବିଲ୍‌ ପ୍ରସ୍ତୁତ କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତିନି ତଲାକ ପ୍ରସଙ୍ଗରେ ବିସ୍ତତ ଆଲୋଚନା ହୋଇଥିବା ଖବର ମିଳିଛି । ଶୀତ ଅଧିବେଶନ ବିଳମ୍ବରେ ଡକାଯାଇଥିବାରୁ ବିରୋଧୀ ଦଳଗୁଡ଼ିକ ଏନ୍‌ଡିଏ ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର