ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ୧୭ଟି ବିଲ୍ ଆଗତ ହେବ। ଅଧିବେଶନ କାଳରେ ରାଜ୍ୟ ସ୍ବାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗ ଉପସ୍ଥାପନ କରିବାପାଇଁ ଓଡ଼ିଶାର ସାଂସଦମାନେ ସଜବାଜ ହେଉଛନ୍ତି। ସାଂସଦମାନଙ୍କ ଦ୍ବାରା ଶୂନ୍ୟକାଳ, ପ୍ରଶ୍ନକାଳ, ସ୍ବତନ୍ତ୍ର ଆଲେଖ୍ୟ ତଥା ବିଭିନ୍ନ ବିଲ୍ ଆଲୋଚନା ଅବସରରେ ପ୍ରସଙ୍ଗ ଉପସ୍ଥାପନ କରାଯିବା ସମ୍ଭାବନା ରହିଛି।
ବିଜେପି ସାଂସଦମାନେ ସେମାନଙ୍କର ସଂସଦୀୟ କ୍ଷେତ୍ର ସଂପର୍କିତ ପ୍ରସଙ୍ଗଗୁଡ଼ିକୁ ଉଠାଇବେ ବୋଲି ଜଣାପଡ଼ିଛି। ବିଜେପିର ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତ ମଂଜୁରୀ ପାଇଥିବା ବରଗଡ଼-ନୂଆପଡ଼ା ରେଳ ଲାଇନର କାର୍ଯ୍ୟକୁ ଗତିଶୀଳ କରିବା ତଥା ନୃସିଂହନାଥ ମନ୍ଦିର ସମେତ ବରଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ କେନ୍ଦ୍ରୀୟ ମାନ୍ୟତା ପ୍ରଦାନ ପାଇଁ ସଦନରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେହିଭଳି ଝାରସୁଗୁଡ଼ାସ୍ଥିତ ଏମ୍ସିଏଲ୍, ବେଦାନ୍ତ କଂପାନୀ ଦ୍ବାରା ବିସ୍ଥାପନ ଓ ସ୍ଥାୟୀ ନିଯୁକ୍ତି, ଗନ୍ଧମାର୍ଦ୍ଦନ ପର୍ବତରେ ଔଷଧୀୟ ବୃକ୍ଷଗୁଡ଼ିକର ସୁରକ୍ଷା ପ୍ରସଙ୍ଗକୁ ମଧ୍ୟ ସେ ଉଠାଇବେ ବୋଲି କହିଛନ୍ତି। କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଆମ୍ବଟାକୁଆ ଖାଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ମାଣ୍ଡିପଙ୍କା ଗାଁରେ ହୋଇଥିବା ମୃତ୍ୟୁ ଘଟଣାକୁ ସଂସଦରେ ଉପସ୍ଥାପନ କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି। ଏଥି ସହ ଓଡ଼ିଶାର ଦାରିଦ୍ର୍ୟ, ରାୟଗଡ଼ାରେ ଶିଶୁ ବିକ୍ରି, କୋଟିଆ ଗ୍ରାମପୁଞ୍ଜ, ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ଉପରେ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ଲୋକସଭାରେ ବିଜେଡିର କୌଣସି ସାଂସଦ ନଥିଲେ ମଧ୍ୟ ରାଜ୍ୟସଭାରେ ଦଳର ୭ ଜଣ ସାଂସଦ ସେମାନଙ୍କ ସ୍ବର ଶାଣିତ କରିବେ ବୋଲି ଜଣାପଡ଼ିଛି।
ବିଜେଡି ପାଖରେ ଗତ ଅଧିବେଶନ ଭଳି ଏଥର ମଧ୍ୟ ପୁଳାପୁଳା ପ୍ରସଙ୍ଗ ରହିଛି।। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ରାଜ୍ୟସଭା ବିଜେଡି ନେତା ସସ୍ମିତ ପାତ୍ର ଯୋଗଦେଇ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ନ୍ୟାୟ, କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସ୍ଟି ଛାଡ଼, କୋଇଲା ରୟାଲ୍ଟି ବୃଦ୍ଧି, ୧୬୬ ଆଦିବାସୀଙ୍କୁ ଜନଜାତି ତାଲିକାଭୁକ୍ତ କରିବା, ଜାତୀୟ ରାଜପଥଗୁଡ଼ିକର ସଂପ୍ରସାରଣ ଓ ମରାମତି, ସମ୍ବଲପୁର, କୋରାପୁଟ ଓ ବାଲେଶ୍ବରରେ ଏମ୍ସ ପ୍ରତିଷ୍ଠା ଆଦି ଦାବି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଆହୁତ ସର୍ବଦଳୀୟ ବୈଠକରେ ଗୃହ ପରିଚାଳନାରେ ଦଳ ଦ୍ବାରା ସହଯୋଗର ପ୍ରତିଶ୍ରୁତି ଦିଆଯାଇଥିଲା।