ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଆଜିର କାର୍ଯ୍ୟଦିବସ ବି ଧୋଇଯାଇଛି। ଆଦାନୀ, ମଣିପୁର ଏବଂ ସମ୍ଭଲ ହିଂସା ପ୍ରସଙ୍ଗରେ ଗୃହରେ ଆଲୋଚନା ଦାବି କରି ବିରୋଧୀ ଦଳ ନେତାମାନେ ପ୍ରବଳ ହୋହଲ୍ଲା ଓ  ହଟ୍ଟଗୋଳ ଜାରି ରଖିଥିବାରୁ ଲଗାତାର ଚତୁର୍ଥ ଦିନ ପାଇଁ ଆଜି ଉଭୟ ଗୃହ ମୁଲତବୀ ରହିଛି। ଉଭୟ ଗୃହକୁ ଆସନ୍ତା ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। 

Advertisment

ଲୋକସଭାରେ ୧ ଘଣ୍ଟାରୁ କମ୍‌, ରାଜ୍ୟସଭାରେ ୭୫ ମିନିଟ୍‌ର କାର୍ଯ୍ୟ

ଆଜି ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଦଳର ସାଂସଦମାନେ ଗୃହର ମଧ୍ୟଭାଗକୁ ‌ଯାଇ ସ୍ଲୋଗାନ ଦେଇଥିଲେ ଏବଂ ବାଚସ୍ପତିଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ହୋହଲ୍ଲା ଜାରି ରଖିଥିଲେ। ଗୃହରେ କେବଳ ପ୍ରଶ୍ନକାଳରେ ୨ଟି ପ୍ରଶ୍ନ କରାଯାଇଥିଲା।  ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଓମ୍‌ ବିର୍ଲା ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ।  ଗୃହ କାର୍ଯ୍ୟ ପୁଣିଥରେ ଆରମ୍ଭ ହେବାପରେ ମଧ୍ୟ ବିରୋଧୀ ସଦସ୍ୟମାନେ ଶାନ୍ତ ପଡ଼ିନଥିଲେ ଏବଂ  ସ୍ଲୋଗାନ୍‌ ଦେଇ  ଗୃହକୁ ଅଚଳ କରିଦେଇଥିଲେ। ଫଳରେ ବାଚସ୍ପତି ଡିସେମ୍ବର ୨ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ।  ଅନ୍ୟପକ୍ଷେ ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ରାଜ୍ୟସଭାରେ ମଧ୍ୟ ଲଗାତାର ଚତୁର୍ଥ ଦିନ ଧରି କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରିନି।  ସଂସଦର ଶୀତ ଅଧିବେଶନର ପ୍ରଥମ ସପ୍ତାହ‌ରେ ଲୋକସଭାରେ ୧ ଘଣ୍ଟାରୁ କମ୍‌ ସମୟର କାମ ହୋଇଛି। ଅନ୍ୟପକ୍ଷେ ରାଜ୍ୟସଭାରେ ୭୫ ମିନିଟ୍‌ କାମ ହୋଇଛି। ବିଭିନ୍ନ ପ୍ରସଙ୍ଗ  ନେଇ ବିରୋଧୀଙ୍କ ହଙ୍ଗାମା ଏବେ ସଂସଦକୁ ଅଚଳ ରଖିବାର ଏକ ରଣନୀତି ପାଲଟି ଯାଇଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଆଜି ଆପ୍‌ ସାଂସଦମାନେ ସଂସଦ ପରିସରରେ ଆନ୍ଦୋଳନ କରିଥିଲେ। ଦିଲ୍ଲୀରେ ଆଇନ ଶୃଙ୍ଖଳା ସ୍ଥିତି  ଶୋଚନୀୟ ହେବା ଘଟଣାରେ ଚିନ୍ତା ପକ୍ରଟ କରି ସେମାନେ ସଂସଦ ଭବନ ପରିସରରେ ପ୍ରତିବାଦ କାର୍ଯ୍ୟକ୍ରମ ହୋଇଥିଲା।

ଆମେ ଉପହାସର ପାତ୍ର ପାଲଟିଛେ: ଧନଖଡ଼
ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ଦିନପାଇଁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବାରୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଆଜି ବିରୋଧୀ ସାଂସଦଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଗତ ସୋମବାରଠାରୁ ଶୀତ ଅଧିବେଶନ ଆରମ୍ଭ ‌ହେବା ପରଠାରୁ ବିରୋଧୀ ସାଂସଦମାନେ ଲଗାତାର ହଟ୍ଟ‌ଗୋଳ ଏବଂ ହୋହଲ୍ଲା କରୁଥିବାରୁ ଧନଖଡ଼ କହିଛନ୍ତି, ବିରୋଧୀଦଳ ସାଂସଦଙ୍କ ବ୍ୟବହାର ତାଙ୍କୁ ଖୁବ୍‌ କଷ୍ଟ ଦେଇଛି।  ‘ଆପଣମାନେ ବହୁତ ବରିଷ୍ଠ ସଦସ୍ୟ। ଏଭଳି କାର୍ଯ୍ୟ ଆଦୌ ପ୍ରଶଂସାଯୋଗ୍ୟ ନୁହେଁ। ଏଥିପାଇଁ ମୁଁ  ଖୁବ୍‌ ବ୍ୟଥିତ। ଆମେ ଏକ ଖରାପ୍‌ ଉଦାହରଣ ସୃଷ୍ଟି କରୁଛେ। ଆମେ ଦେଶର ଲୋକମାନଙ୍କୁ ଅସମ୍ମାନ କରୁଛେ। ଲୋକମାନେ ଆମକୁ ଉପହାସ କରୁଛନ୍ତି ଏବଂ ଆମେ ଉପହାସର ପାତ୍ର ପାଲଟି ଯାଇଛେ’ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଧନଖଡ଼ କହିଛନ୍ତି, ବିରୋଧୀ ଦଳଙ୍କ ଆଚରଣ ଆଦୌ ଜନକୈନ୍ଦ୍ରିକ ନୁ‌ହେଁ।