ଅମୃତସର: ଦିଲ୍ଲୀ, ପଞ୍ଜାବ ଓ ହରିୟାଣା ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ହିମାଚଳ ଓ ଜମ୍ମୁ କାଶ୍ମୀରରେ ବରଫପାତ ଶୀତ ଲହରର ପ୍ରକୋପକୁ ବଢ଼ାଇ ଦେଇଛି। ପଞ୍ଜାବର ଅମୃତସରରେ ସର୍ବନିମ୍ନ ତାପମାତ୍ରା ରବିବାର ୫.୬ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫରିଦକୋଟ ଏବଂ ଭଟିଣ୍ଡାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରି ରହିଛି ବୋଲି ପାଣିପାଗ ବିଭାଗର ଏକ ରିପୋର୍ଟରେ କୁହାଯାଇଛି। ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଦିଲ୍ଲୀରେ ଗତକାଲି ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରି ରେକର୍ଡ କରାଯାଇଥିଲା ଏବଂ ଏହା ଚଳିତ ଋତୁରୁ ଶୀତଳତମ ଦିବସ ଥିଲା। ରବିବାର ସକାଳେ ପଟିଆଲାରେ ପାରଦ ୬.୭ ଡିଗ୍ରି ସେଲସିୟସ ଏବଂ ଲୁଧିଆନାରେ ୭.୧ ଡିଗ୍ରି ସେଲସିୟସ ରହିଥିଲା। ହରିୟାଣାର ହିସାରରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରେକର୍ଡ କରାଯାଇଛି। ଦୁଇ ରାଜ୍ୟର ମିଳିତ ରାଜଧାନୀ ଚଣ୍ଡୀଗଡ଼ରେ ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ସେଲସିୟସ ରହିଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp