ବନ୍ୟା ପାଣିରେ ନଷ୍ଟ ହୋଇଗଲା ବହି ଓ ଘର, ବାଳିକାକୁ କାନ୍ଦିବାର ଦେଖି ନୂଆ ଘର ଓ ନୂଆ ବହି ଦେବାର ପ୍ରତିଶ୍ରୁତି ଦେଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପୁଣି ଥରେ ଜଣେ ଅଭାବୀ ପରିବାରକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗରିବଙ୍କ ଭଗବାନ ଵନିଯାଇଥିବା ସୋନୁ ସୁଦ ସବୁ ଅସହାୟଙ୍କ ଡାକ ଶୁଣି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବା ଦେଖା ଯାଇଛି | ଟୁଇଟ ମାଧ୍ୟମରେ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ବେଳେ ଏବେ ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓ ଦେଖି ସେ ଜଣେ ଆଦିବାସୀ ବାଳିକାକୁ ନୂଆ ବହି ସହ ନୂଆ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି। ବନ୍ୟାରେ ଘର ଭାଙ୍ଗିଯିବା ପରେ ବହି ଗୁଡିକ ନଷ୍ଟ ହୋଇଯାଇଥିବାରୁ ବାଳିକାଜଣକ କାନ୍ଦୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି | ଭିଡ଼ିଓ ଦେଖିବା ପରେ ସୋନୁ ସୁଦ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।

ମୁକେଶ ଚନ୍ଦ୍ରକର ନାମକ ଜଣେ ଯୁବକ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବାଳିକା କାନ୍ଦୁଥିବାର ଦେଖାଯାଇଛି | ସେ ଲେଖିଛନ୍ତି, ଅଗଷ୍ଟ ୧୫-୧୬ ହୋଇଥିବା ବନ୍ୟାରେ ଅଞ୍ଜଳିଙ୍କ ଘର ପ୍ରାୟ ନଷ୍ଟ ହୋଇଯାଇଥିଲା। ଭାଙ୍ଗି ଯାଇଥିବା ଘର କଥା ନ ଭାବି ଅଞ୍ଜଳି ନଷ୍ଟ ହୋଇଯାଇଥିବା ନିଜ ବହିକୁ ଦେଖି ଖୁବ କାନ୍ଦିଥିଲେ | ମୁଁ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ବାଳିକାର ପୁସ୍ତକ ପ୍ରତି ଏଭଳି ଭଲ ପାଇବା ଦେଖିଲି | ଏହି ଟୁଇଟକୁ ରିଟ୍ୱିଟ କରି ସୋନୁ ଲେଖିଛନ୍ତି – ଲୁହ ପୋଛିଦିଅ ଭଉଣୀ, ବହିଗୁଡ଼ିକ ମଧ୍ୟ ନୂଆ ହେବ| ଘର ମଧ୍ୟ ନୂଆ ହେବ | ସୋନୁଙ୍କ ଏଭଳି ଟୁଇଟ ପୁଣି ଥରେ ଲୋକଙ୍କ ମନ କିଣି ନେଇଛି | ଏହା ପୂର୍ବରୁ ହଳ କରିବାକୁ ବଳଦ ନଥିବା ଚାଷୀକୁ ଟ୍ରାକ୍ଟର ଏବଂ ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ସୋନୁ |

ସମ୍ବନ୍ଧିତ ଖବର