ଶିବ ମନ୍ଦିରରେ ପୂଜାର୍ଚ୍ଚନା ପରେ ୧୧ ପୂଜକଙ୍କ ଠାରୁ ଆଶୀର୍ବାଦ ନେଇ ମଧ୍ୟପ୍ରଦେଶରେ ଦଳର ପ୍ରଚାର ଅଭିଯାନ ଆରମ୍ଭ କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ

ଭୋପାଳ (ମଧ୍ୟପ୍ରଦେଶ): ୧୧ ଜଣ ବ୍ରାହ୍ମଣ ପୂଜକଙ୍କ ଠାରୁ ଆଶୀର୍ବାଦ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି (ସୋମବାର) ଠାରୁ ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରଚାର ଅଭିଯାନକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଖୁବଶୀଘ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟପ୍ରଦେଶ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି।

ସଂପ୍ରତି ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପି ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିବା ପୂର୍ବରୁ କଂଗ୍ରେସର ପ୍ରଚାର ଅଭିଯାନକୁ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରମ୍ଭ କରି ଦେଇଛନ୍ତି। ମଧ୍ୟପ୍ରଦେଶରେ ଦଳର ପ୍ରଚାର ଅଭିଯାନ ଆରମ୍ଭ କରିବା ପାଇଁ ଆଜି କଂଗ୍ରେସ ଅଧ୍ୟକ୍ଷ ଭୋପାଳରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରାହୁଲଙ୍କୁ ସ୍ୱାଗତ ଜଣାଇବା ପାଇଁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥ, କଂଗ୍ରେସ ନେତା ତଥା ଗୁନା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ପରେ ରାହୁଲ କଂଗ୍ରେସ ନେତାମାନଙ୍କ ସହ ସେଠାରୁ ଲାଗାଥି ସ୍ଥିତ ଏକ ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ୧୧ ଜଣ ବ୍ରାହ୍ମଣ ପୂଜକଙ୍କ ଠାରୁ ଆଶୀର୍ବାଦ ନେଇ ଏକ ରୋଡ୍‌ ସୋ’ରେ ବାହାରିଥିଲେ।


ଦୀର୍ଘ ୧୫ କିଲୋମିଟର ବ୍ୟାପି ଆୟୋଜିତ ହୋଇଥିବା ଏହି ରୋଡ୍‌ ସୋ’ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ସହ ମଧ୍ୟପ୍ରଦେଶର ସମସ୍ତ କଂଗ୍ରେସ ନେତା ଓ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ରୋଡ୍‌ ସୋ’ ଦଶହରା ମୈଦାନରେ ପହଞ୍ଚିବା ପରେ ସେଠାରେ କର୍ମୀ ସମ୍ମିଳନୀର ଆୟୋଜନ କରା ଯାଇଥିଲା, ଯେଉଁଠି ରାହୁଲ କଂଗ୍ରେସ କର୍ମୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ସମ୍ବନ୍ଧିତ ଖବର