ଗୋଆ : ଆପ୍ ଓ ଟିଏମସି ସହଯୋଗରେ ସରକାର ଗଢିବାକୁ କଂଗ୍ରେସର ଯୋଜନା

ପାନାଜୀ :  ଆସନ୍ତା କାଲି ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ଗୋଆରେ ଝୁଲା ବିଧାନସଭା ହେବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ୍ ରିପୋର୍ଟରେ କୁହାଯାଇଥିବାରୁ କଂଗ୍ରେସ ସତର୍କ ହୋଇଉଠିଛି । ୨୦୧୭ରେ କରିଥିବା ଭୁଲରୁ ଶିକ୍ଷା ଲାଭ କରି ଦଳ ଆଗୁଆ ଗୋଟି ଚାଳନା ଆରମ୍ଭ କରିଦେଇଛି ।

ଦଳ ନିଜର ବିଧାୟକ ପ୍ରାର୍ଥୀମାନଙ୍କୁ ଗୋଟିଏ ରିଜର୍ଟରେ ସୁରକ୍ଷିତ ଭାବେ ରଖିସାରିଛି । ବିଜେପି ଯେପରି ବିଧାୟକମାନଙ୍କୁ କିଣି ନପାରେ ସେଥିପାଇଁ ଦଳ ଏହି ପଦକ୍ଷେପ ନେଇଛି । ଏତିକିରେ ଦଳ ସନ୍ତୁଷ୍ଟ ହୋଇ ବସିନାହିଁ । ଦଳ ଆଗୁଆ ଆମ ଆଦମି ପାର୍ଟି (ଆପ୍) ସହ ଯୋଗାଯୋଗ କରିଛି । ଭୋଟ ଫଳାଫଳ ଆସିବା ପରେ ଯଦି କଂଗ୍ରେସ ପାଇଁ ଆସନ ନିଅଣ୍ଟ ପଡ଼େ ତେବେ ଆପର ସମର୍ଥନ ଦଳ ପାଇଁ ଉପଯୋଗୀ ହୋଇପାରିବ । ଏହି ସମର୍ଥନ ପାଇଁ କଂଗ୍ରେସ ଆପକୁ ମନ୍ତ୍ରୀ ପଦ ବି ଯାଚିଛି । ଆହୁରି ମଧ୍ୟ ତୃଣମୂଳ କଂଗ୍ରେସ ସହିତ ବି କଂଗ୍ରେସ ଆଲୋଚନା ଚଳାଇଛି । ଯଦି ଝୁଲା ବିଧାନସଭା ହୁଏ ତେବେ କଂଗ୍ରେସ ଉଭୟ ଆପ ଓ ଟିଏମସି ସହଯୋଗରେ ସରକାର ଗଢିବାକୁ ଦାବି କରିବାକୁ ଯୋଜନା କରୁଛି । ଏଣୁ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ଭୋଟ ଗଣତି ଫଳାଫଳ ପରେ ଗୋଆର ରାଜନୈତିକ ପାଣିପାଗ ଉଷ୍ଣ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର