ବାରାଣସୀ: ବାରାଣସୀରେ ଦୁଇ ଭଉଣୀ ଗତ ଏକ ବର୍ଷ ହେବ ନିଜ ମା’ଙ୍କ ମୃତଦେହ ସହ ରହୁଥିବା ଦେଖିବାକୁ ମିଳିଛି। ବୁଧବାର ଲଙ୍କା ଥାନାର ଏକ ଟିମ୍ ଘରେ ପଶି ପଲ୍ଲବୀ (୨୭) ଓ ତାଙ୍କ ଭଉଣୀ ବୈଶ୍ବିକୀ (୧୮)ଙ୍କୁ ସେମାନଙ୍କ ମା’ ଉଷା ତିୱାରୀ(୫୨)ଙ୍କ ମୃତଦେହ ସହ ପାଇଥିଲେ। ଶବ ପଚି ମାଂସ ଝଡ଼ି କଙ୍କାଳରେ ପରିଣତ ହୋଇଯାଇଥିଲା। ଭଉଣୀମାନେ ପୁଲିସକୁ କହିଛନ୍ତି ଯେ ଗତ ବର୍ଷ ଡିସେମ୍ବର ମାସରେ ଅସୁସ୍ଥତା କାରଣରୁ ମା’ଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନ ଥିଲା। ଦୁଇଭଉଣୀ ମାନସିକ ସ୍ତରରେ ଅସ୍ଥିର ଥିବା ପୁଲିସ କହିଛି। ଏହି ପରିବାର ବାରାଣସୀର ଲଙ୍କାର ମଡେର୍ଭା ଚିଟ୍ଟୁପୁର ଅଞ୍ଚଳରେ ରୁହନ୍ତି।

Advertisment

ଭଉଣୀମାନେ କହିଛନ୍ତି ଯେ, ସେମାନଙ୍କ ବାପା ବାଲିଆରେ ରୁହନ୍ତି ଏବଂ ଗତ ଦୁଇବର୍ଷ ହେଲା ସେମାନଙ୍କୁ ଦେଖା କରିବାକୁ ଆସିନାହାନ୍ତି। ବାରମ୍ବାର ଚେଷ୍ଟା ସତ୍ତ୍ୱେ କେହି ଘରର କବାଟ ଖୋଲୁନଥିବାରୁ ମହିଳାଙ୍କ ଜଣେ ସମ୍ପର୍କୀୟ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସର ଏକ ଟିମ୍ ଘର ଭିତରକୁ ପଶିବା ପରେ ଗୋଟିଏ କୋଠରିରେ ମହିଳାଙ୍କ କଙ୍କାଳ ଥିବାବେଳେ ଝିଅମାନେ ଅନ୍ୟ କୋଠରିରେ ବସିଥିବା ଦେଖିବାକୁ ପାଇଥିଲେ। ଲଙ୍କା ଥାନା ଇନ୍ସପେକ୍ଟର ଶିବକାନ୍ତ ମିଶ୍ର କହିଛନ୍ତି ଯେ କଙ୍କାଳକୁ ଅଧିକ ତଦନ୍ତ ପାଇଁ ପଠାଯାଇଛି। ଏହି ମାମଲାରେ କୌଣସି ଆପରାଧିକ ଦୃଷ୍ଟିକୋଣକୁ ସେ ଅସ୍ୱୀକାର କରିଛନ୍ତି। ପଲ୍ଲବୀ ସ୍ନାତକୋତ୍ତର ହୋଇଥିବା ବେଳେ ବୈଶ୍ବିକୀ ଦଶମ ଶ୍ରେଣୀରେ ପଢ଼ନ୍ତି। ପୁଲିସ କହିଛି ଯେ ଝିଅମାନେ ଆବଶ୍ୟକ ସମୟରେ ଘରୁ ବାହାରକୁ ଯାଉଥିଲେ।