କାମ ନ ଥିବାରୁ ସାଉଦି ଆରବରେ ଭିକ୍ଷାବୃତ୍ତି କରୁଥିବା ୪୫୦ ଭାରତୀୟଙ୍କୁ ଅଟକ କେନ୍ଦ୍ରରେ ରଖିଛନ୍ତି ସାଉଦୀ କର୍ତ୍ତୃପକ୍ଷ

ହାଇଦ୍ରାବଦ: ସାଉଦି ଆରବରେ ଜୀବୀକା ଉପାର୍ଜନର ମାଧ୍ୟମ ହରାଇ ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ୪୫୦ ଜଣ ଭାରତୀୟଙ୍କୁ ଧରି ନିଆଯାଇ ‘ଅଟକ କେନ୍ଦ୍ର’ରେ ରଖାଯାଇଛି।

ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, କଶ୍ମୀର, ବିହାର, ‌ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ ଏବଂ ମହାରାଷ୍ଟ୍ରରୁ ଯାଇଥିବା ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ‘ୱାର୍କ ପର୍‌ମିଟ୍‌’ ସମୟସୀମା ଶେଷ ହୋଇଯାଇଥିବାରୁ ସେମାନେ ବାଧ୍ୟ ‌ହୋଇ ଭିକ୍ଷା କରୁଥିଲେ।

ଭାଇରାଲ୍‌ ହୋଇଥିବା ଭିଡିଓରେ ଶ୍ରମିକମାନେ କହିଛନ୍ତି ଯେ, ସେମାନଙ୍କର ଅପରାଧ ହେଲା ଭିକ୍ଷା କରିବା। ସାଉଦୀ କର୍ତ୍ତୃପକ୍ଷମାନେ ଉକ୍ତ ଶ୍ରମିକମାନଙ୍କ ଭଡ଼ାଘରକୁ ଯାଇ ସେମାନଙ୍କୁ ଚିହ୍ନଟ କରିବା ପରେ ଜେଦ୍ଦାସ୍ଥିତ ‘ଶୁମାଇସି’ ଅଟକ କେନ୍ଦ୍ରକୁ ସ୍ଥାନାନ୍ତର କରିନେଇଛନ୍ତି।

ଅଟକ କେନ୍ଦ୍ରରେ ଥିବା ଶ୍ରମିକମାନଙ୍କ ମଧ୍ୟରୁ ୩୯ ଜଣ ଉତ୍ତରପ୍ରଦେଶ, ୧୦ଜଣ ବିହାର, ୫ଜଣ ତେଲେଙ୍ଗାନା ଏବଂ ୪ଜଣ ଲେଖାଏଁ ମହାରାଷ୍ଟ୍ର, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶର ବ୍ୟକ୍ତି।

Image Courtesy of The Times of India

କାନ୍ଦି ପକାଉଥିବା ଅନେକ ଶ୍ରମିକ କହିଛନ୍ତି, ସେମାନ‌ଙ୍କୁ ବଡ଼ ହତାଶିଆ ପରିସ୍ଥିତରେ ଧରାଯାଇଛି। ଜଣେ ଶ୍ରମିକ ଅଭିଯୋଗଛନ୍ତି, ଆମେ କୌଣସି ଅପରାଧ କରିନାହୁଁ। କାମ ହରାଇବାଜନିତ ପରିସ୍ଥିତି ଆମକୁ ଭିକ୍ଷା କରିବାକୁ ବାଧ୍ୟ କରିଛି। ଏବେ ଆମେ ଅଟକ କେନ୍ଦ୍ରରେ ଲାଞ୍ଛିତ ହେଉଛୁ।

ଅନ୍ୟ ଜଣେ କହିଛନ୍ତି, ଚାରି ମାସରୁ ଅଧିକ ହେବ ସେମାନେ ଅସହଣୀୟ କଷ୍ଟରେ ବଞ୍ଚିଛୁ। ପାକିସ୍ତାନ, ବାଂଲାଦେଶ, ଇଣ୍ଡୋନେସିଆ ଏବଂ ଶ୍ରୀଲଙ୍କାର ଶ୍ରମିକମାନଙ୍କୁ ସେମାନଙ୍କ କର୍ତ୍ତୃପକ୍ଷମାନେ ସାହାଯ୍ୟ କରିବା ସହ ଆପଣା ଦେଶକୁ ଫେରାଇ ନେଉଛନ୍ତି। କିନ୍ତୁ, ଆମେ ଏଇଠି ଅଟକି ରହିଛୁ।

ସାମାଜିକକର୍ମୀ ତଥା ଏମ୍‌ବିଟି ନେତା ଆମଜେଦ୍ ଉଲ୍ଲା ଖାଁ କହିଛନ୍ତି ଯେ, ଶ୍ରମିକମାନଙ୍କ ରହଣି ସମୟସୀମାରୁ ଶେଷ ହୋଇଥିବାରୁ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ସେମାନଙ୍କୁ ଅଟକ କେନ୍ଦ୍ରକୁ ନେଇଯାଇଛନ୍ତି। ଆମଜେଦ୍ ମଧ୍ୟ ୪୫୦ ଭାରତୀୟଙ୍କ ଦୁର୍ଦ୍ଦଶା ଜଣାଇ ସେମାନଙ୍କୁ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ସାଉଦୀ ଆରବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଔସଫ ସୟୀଦଙ୍କୁ ଆବେଦନ କରିଛନ୍ତି।

 

ସମ୍ବନ୍ଧିତ ଖବର