ମାନବବିହୀନ ରେଳଫାଟକରେ ‘ଇସ୍ରୋ’ କରିବ ସତର୍କ

ନୂଆଦିଲ୍ଲୀ: ମାନବବିହୀନ ରେଳଫାଟକଗୁଡ଼ିକରେ ଦୁର୍ଘଟଣା କମାଇବା ଲାଗି ରେଳବାଇ ପକ୍ଷରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ସହଯୋଗ ନିଆଯାଇଛି। ଏକ ଉପଗ୍ରହ ଖଚିତ ପ୍ରଣାଳୀ ଦ୍ୱାରା ସଂପୃକ୍ତ ରେଳଫାଟକରେ ଟ୍ରେନ୍‌ ପହଞ୍ଚିବାର ଅଧ କିମି ଦୂରରୁ ସାଇରନ୍‌ ବାଜି ଉଠିି ଟ୍ରେନ୍‌ର ଚାଳକ ଏବଂ ଫାଟକ ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଯାନବାହନଙ୍କୁ ସତର୍କ କରାଇଦେବ। ଫଳରେ ସେଠାରେ ଅପ୍ରତ୍ୟାଶିତ ଦୁର୍ଘଟଣାକୁ ଅନେକାଂଶରେ ରୋକାଯାଇପାରିବ ବୋଲି ରେଳବାଇ ଆଶା ରଖିଛି।

ସମ୍ପ୍ରତି ଇସ୍ରୋ ଦ୍ୱାରା ବିକଶିତ ଏ ସଂକ୍ରାନ୍ତ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌(ଆଇସି)କୁ ରେଳବାଇ ପକ୍ଷରୁ ୧୦ ହଜାର ଟ୍ରେନ୍‌ ଇଞ୍ଜିନ୍‌ରେ ଖଞ୍ଜା ଯିବାର ବ୍ୟବସ୍ଥା ହୋଇଛି। ପରୀକ୍ଷାମୂଳକ ଭାବେ ଏହାକୁ ପ୍ରଥମେ ଦିଲ୍ଲୀ-ଗୌହାଟି ଏବଂ ଦିଲ୍ଲୀ-ମୁମ୍ବାଇ ପରି ଦୁଇଟି ବ୍ୟସ୍ତତମ ରେଳପଥରେ କାର୍ଯ୍ୟକାରୀ କରାଯିବ। ପରେ ପର୍ଯ୍ୟାୟ କ୍ରମେ ସମସ୍ତ ରେଳଫାଟକରେ ଏହାକୁ ଲାଗୁ କରାଯିବ ବୋଲି ଜଣାଯାଇଛି। ଏହି ପ୍ରଣାଳୀ ଦ୍ୱାରା ରେଳଫାଟକରେ ସାଇରନ୍‌ ସତର୍କ ବ୍ୟତୀତ ଯେ କୌଣସି ସମୟରେ ଟ୍ରେନ୍‌ର ଗତିପଥ ଉପରେ ମଧ୍ୟ ନିର୍ଭୁଲ୍‌ ସୂଚନା ମିଳିପାରିବ। ଉଲ୍ଲେଖ ଥାଉ କି, ଦେଶରେ ଏବେ ୭,୨୫୪ଟି ମାନବବିହୀନ ରେଳଫାଟକ ରହିଛି। ବର୍ଷକୁ ସଂଘଟିତ ମୋଟ ଟ୍ରେନ୍‌ ଦୁର୍ଘଟଣାର ୪୦ ପ୍ରତିଶତ ହିଁ କେବଳ ଏହି ସବୁ ମାନବବିହୀନ ରେଳଫାଟକ ଯୋଗୁଁ ହେଉଛି ବୋଲି ରେକର୍ଡ କହୁଛି।

ସମ୍ବନ୍ଧିତ ଖବର