ରାଜସ୍ଥାନର ଏହି ସ୍କୁଲରେ ରହିଛି ଟ୍ରେନ୍‌ ଇଞ୍ଜିନ, ରେଳଡବା ଓ ପ୍ଲାଟ୍‌ଫର୍ମ : ପିଲାଏ ପଢ଼ୁଛନ୍ତି କେମିତି ?

ନୂଆଦିଲ୍ଲୀ : ଦେଶରେ ଏମିତି ପିଲା ରହିଛନ୍ତି ଯେଉଁମାନେ ଟ୍ରେନ ସାହାଯ୍ୟରେ ନିଜ ନିଜ ସ୍କୁଲରେ ପହଞ୍ଚି ପାରନ୍ତି । କିନ୍ତୁ କିଛି ପିଲା ଏମିତି ବି ଅଛନ୍ତି ଯେଉଁମାନେ ଟ୍ରେନ ଭିତରେ ହିଁ ପାଠ ପଢ଼ନ୍ତି । ଏ କଥାଟି ଶୁଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଟ୍ରେନ୍‌ ମଧ୍ୟରେ ପିଲା ପଢ଼ିବା କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ରାଜସ୍ଥାନର ଅଲଓ୍ଵାରରେ ରହିଛି ଏକ ଏପରି ସ୍କୁଲ, ଯାହା ଦେଖିବାକୁ ଏକ ଟ୍ରେନ ଭଳି। ଏଠାରେ ପିଲାମାନେ ଟ୍ରେନ ମଧ୍ୟରେ ପାଠ ପଢ଼ିଥାନ୍ତି ।
ଅସଲ କଥାଟି ହେଲା ରାଜସ୍ଥାନରେ ଥିବା ସ୍କୁଲର ନାମ ହେଉଛି ଅଲଓ୍ଵାର ସରକାରୀ ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟ,ରେଳ ଷ୍ଟେସନ । ସ୍କୁଲର ନାମରେ ରେଳ ଷ୍ଟେସନ ଲାଗିଥିବାରୁ ସ୍କୁଲକୁ ମଧ୍ୟ ଏକ ଟ୍ରେନ ପରି ସଜେଇବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଗୁପ୍ତା ଏବଂ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଜୁନିୟର ଇଞ୍ଜିନିୟର ରାଜେଶ ଲଓ୍ଵାନିଆ ଭାବିଥିଲେ ବୋଲି ସେମାନେ କହିଛନ୍ତି । ସ୍କୁଲରେ ଥିବା ପ୍ରିନ୍ସିପାଲଙ୍କ ରୁମ୍‌ ବହାରରେ ରେଳ ଇଞ୍ଜିନର ଚିତ୍ର ଅଙ୍କା ଯାଇଥିବା ବେଳେ ସ୍କୁଲର ବାରଣ୍ଡାକୁ ରେଳ ପ୍ଲାଟ୍‌ଫର୍ମ କରାଯାଇଛି ।

indianexpress.com

ସ୍କୁଲରେ ଥିବା ପ୍ରତି ଶ୍ରେଣୀକୁ ରେଳ ବଗି ଭଳି ସଜା ଯାଇଛି । ବାହାରୁ ଦେଖିଲେ ସ୍କୁଲଟି ଏକ ଟ୍ରେନ ଭଳି ଦେଖାଯାଉଛି । ସ୍କୁଲରେ କରାଯାଇଥିବା ଏଭଳି ଭିନ୍ନ ବ୍ୟବସ୍ଥାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍କୁଲଟି ଅଲଓ୍ଵାରରେ ଥିବା ରେଳ ଷ୍ଟେସନ ଠାରୁ ୫୦ ମିଟର ଦୂରରେ ଥିବାରୁ ସ୍କୁଲର ନାମ ଏପରି ରଖା ଯାଇଥିବା ଜଣା ପଡ଼ିଛି । ଏପରି ବ୍ୟବସ୍ଥା ସରକାରୀ ସ୍କୁଲରେ ପାଠ ପଢ଼ିବା ପାଇଁ ଇଚ୍ଛା ପ୍ରକାଶ କରୁ ନଥିବା ପିଲାମନଙ୍କ ମନରେ ଇଚ୍ଛା ଜାଗ୍ରତ କରିବା ପାଇଁ କରିଛୁ ବୋଲି ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ଅନ୍ୟ ପକ୍ଷରେ ଏପ୍ରିଲ ଶେଷ ସୁଦ୍ଧା ଏହି ସ୍କୁଲର ଦୁଇଟି ଶ୍ରେଣୀକୁ ଜୟପୁର-ଦିଲ୍ଲୀ ଡ଼ବଲ ଡ଼େକର ଟ୍ରେନ ଭଳି ସଜା ଯିବା ସହ ବାକି ଶ୍ରେଣୀଗୁଡ଼ିକୁ ଅଜ୍‌ମେର-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସ ଭଳି ସଜା ଯିବା ବୋଲି ରାଜେଶ ଲଓ୍ଵାନିଆ କହିଛନ୍ତି ।

www.indiatimes.com
ସମ୍ବନ୍ଧିତ ଖବର