ନୂଆଦିଲ୍ଲୀ: ‘ଆମ୍ ଆଦ୍ମି ପାର୍ଟି’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଦିଲ୍ଲୀର ତିହାର ଜେଲ୍ରେ ‘ମସାଜ୍’ ବା ଘଷାମୋଡ଼ା ଖାଉଥିବାର ଦୃଶ୍ୟ ଥିବା ଏକ ଭିଡିଓ ସେୟାର୍ କରି ଆଜି ‘ବିଜେପି’ ନେତାମାନେ କହିଛନ୍ତି, ଜେଲ୍ରେ ବି ଜୈନ୍ ସୁଖସୁବିଧା ପାଉଛନ୍ତି।
ଆଜି ରିଲିଜ୍ ହୋଇଥିବା ଭିଡିଓରେ ଦେଖାଯାଉଛି, ତିହାର୍ ଜେଲ୍ ପ୍ରକୋଷ୍ଠରେ ସତ୍ୟେନ୍ଦ୍ର ଜୈନ୍ ପାଦ, ପିଠି ଓ ମୁଣ୍ଡ ଘଷାମୋଡ଼ା କରାଉଛନ୍ତି।
ଟୁଇଟ୍ କରି ‘ବିଜେପି’ର ଶେହ୍ଜାଦ୍ ଜୟ ହିନ୍ଦ୍ ଲେଖିଛନ୍ତି, ଜେଲ୍ରେ ‘ଭିଭିଆଇପି’ ସତ୍କାର। କେଜ୍ରିୱାଲ୍ ଏମିତକା ମନ୍ତ୍ରୀଙ୍କ ସପକ୍ଷରେ ବାହାରୁଛନ୍ତି? ତାଙ୍କୁ କ’ଣ ବହିଷ୍କାର କରାଯିବା ଅନୁଚିତ। ଏହି ଘଟଣା ‘ଆପ୍’ର ପ୍ରକୃତ ରୂପ ପ୍ରଦର୍ଶନ କରୁଛି।
/sambad/media/post_attachments/wp-content/uploads/2022/11/SJ1.jpg)
ସ୍ମରଣଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଚଳିତ ବର୍ଷ ମେ ମାସରେ ମନ୍ତ୍ରୀ ଜୈନ୍ଙ୍କୁ ଗିରଫ କରାଯାଇଥିଲା।
ଜେଲ୍ରେ ଥିବା ମନ୍ତ୍ରୀଙ୍କୁ ‘ଭିଆଇପି’ ଚର୍ଚ୍ଚା ଯୋଗାଇ ଦେବା ଅଭିଯୋଗରେ ତିହାର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ନିଲମ୍ବନ କରିବାର କିଛି ଦିନ ପରେ ‘ବିଜେପି’ ନେତାମାନେ ଉପରୋକ୍ତ ଭିଡିଓ ସେୟାର୍ କରିଛନ୍ତି। ସୁପରିଣ୍ଟେଣ୍ଡେଣ୍ଟ୍ ଜେଲ୍ରେ ଜୈନ୍ଙ୍କୁ ସୁଖସୁବିଧା ଯୋଗାଇ ଦିଆଯାଉଥିବା କଥା କନ୍ମ୍ୟାନ୍ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିବା ପରେ ଦିଲ୍ଲୀ ଉପରାଜ୍ୟପାଳ ତଦନ୍ତ କମିଟି ଗଠନ କରିଥିଲେ। ଉକ୍ତ କମିଟିର ଅନୁମୋଦନକ୍ରମେ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ ନିଲମ୍ବନ କରାଯାଇଥିଲା।
ତିହାର୍ ଜେଲ୍ ତରଫରୁ କୁହାଯାଇଛି ଯେ, ଏହି ଭିଡିଓଟି ପୁରୁଣା। ଜେଲ୍ କର୍ତ୍ତୃପକ୍ଷମାନେ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଓ ଜେଲ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାରିଛି।
ଆଜିର ଭିଡିଓ ଉପରେ ପ୍ରତିକ୍ରିୟା ବ୍ୟକ୍ତକରି ‘ଆପ୍’ କହିଛି, ଶାରୀରିକ ଜଟିଳତା ଯୋଗୁଁ ଜେଲ୍ ଭିତରେ ସବୁ ପ୍ରକାରର ଚିକିତ୍ସା ନିମନ୍ତେ ଅଦାଲତ ଆଦେଶ ଦେଇଛନ୍ତି। ଔଷଧ ସହିତ ‘ଆକ୍ୟୁପ୍ରେସର୍’ (ମସେଜ୍) ହେଉଛି ଏହି ଚିକିତ୍ସାର ଅଂଶବିଶେଷ।