୧୬ ସୁଦ୍ଧା ଓକିଲ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ: ସୁପ୍ରିମ୍‌କୋର୍ଟ

ଲାଇସେନ୍ସ ବାତିଲ ଚେତାବନୀ

ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବିରେ ଓକିଲମାନେ ଦୀର୍ଘ ଦିନ ଧରି ଚଳାଇଥିବା ଆନ୍ଦୋଳନକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମ୍‌କୋର୍ଟ। ଏସଂପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରି କୋର୍ଟ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ବୁଧବାର (୧୬ ତାରିଖ) ସୁଦ୍ଧା ଓକିଲମାନଙ୍କୁ ସେମାନଙ୍କ କାର୍ଯ୍ୟରେ ଯୋଗଦେବାକୁ ପଡ଼ିବ। ଏଥିରେ ବିଫଳ ହେଲେ ଏହାକୁ ଅଦାଲତ ଅବମାନନା ବୋଲି ବିଚାର କରାଯିବ ଏବଂ ସେମାନଙ୍କର ଲାଇ‌ସେନ୍ସ ବାତିଲ କରାଯିବ। ଆମକୁ ଯଦି ୨୦୦ରୁ ୩୦୦ ଆଇନଜୀବୀଙ୍କୁ ସସ୍‌ପେଣ୍ଡ କରିବାକୁ ପଡ଼େ ଆମେ ପଛାଇବୁ ନାହିଁ। ସେମାନଙ୍କର ପଞ୍ଜୀକରଣକୁ ବାତିଲ କରିବା ପାଇଁ ରାଜ୍ୟ ବାର କାଉନସିଲ୍‌କୁ କୁହାଯିବ ବୋଲି ସ୍ପଷ୍ଟ କରିଦେଇଛନ୍ତି।

ଓକିଲ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଂଜୟ କିଷନ କୌଲ୍‌ ଓ ଜଷ୍ଟିସ ଅଭୟ ଶ୍ରୀନିବାସ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶୁଣାଣି ଚାଲିଥିବା ବେଳେ କୋର୍ଟ ଏଭଳି ଚେତାବନୀ ଶୁଣାଇଛନ୍ତି। ଖଣ୍ଡପୀଠ କହିଲେ ଯେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ନ୍ୟାୟିକ ବ୍ୟବସ୍ଥାର ଏକ ମୌଳିକ ଦିଗ। କୋର୍ଟ ସ୍ବାଭାବିକ ନଚାଲିଲେ ଜନସାଧାରଣ ନ୍ୟାୟ ପାଇପାରିବେ ନାହିଁ।

କୋର୍ଟକୁ କୁହଯାଇଥିଲା ଯେ ରାଜ୍ୟର ୫ଟି ଜିଲ୍ଲାରେ ହାଇକୋର୍ଟଙ୍କ ବେଞ୍ଚ ସ୍ଥାପନ ପାଇଁ ଦାବି କରାଯାଉଛି ଏବଂ ଏଥିପାଇଁ ଓକିଲ ଆନ୍ଦୋଳନ ଚାଲୁଥିବାରୁ ନିମ୍ନ ଅଦା‌ଲତ ଗୁଡ଼ିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ଅବସରରେ ଜଷ୍ଟିସ କୌଲ କହିଲେ, ଅନେକ ସଂଘ ଓ ଓକିଲଙ୍କ ଆଚରଣ ସନ୍ତୋଷଜନକ ନୁହେଁ। ଏନେଇ ଆମେ କିଛି ଆଦେଶ ପୂର୍ବରୁ ଜାରି କରିଥିଲୁ। ସେମାନଙ୍କ ଦ୍ବାରା କାର୍ଯ୍ୟ ବର୍ଜନ ନକରିବା ସଂପର୍କିତ ଲିଖିତ ପ୍ରତିଶ୍ରୁତି ମଧ୍ୟ ଆମ ପାଖରେ ରହିଛି।

ସେହିଭଳି ରାଜ୍ୟ ବାର କାଉନସିଲ ପକ୍ଷରୁ କୁହାଯାଇଥିଲା ଯେ ଓଡ଼ିଶା ମୁଖ୍ୟ ବିଚାରପତି ତଥା ପ୍ରଶାସନିକ ବିଚାରପତିଙ୍କ ଦ୍ବାରା ରାଜ୍ୟର ସମସ୍ତ ବାର ଆସୋସିଏସନ ସଦସ୍ୟଙ୍କ ବୈଠକ ଡକାଯାଇଥିଲା। ହେଲେ ବାର ଆସୋସିଏସନର ସଦସ୍ୟମାନେ ବୈଠକରେ ‌ଯୋଗଦେଇନଥିଲେ। ଏଥିରେ କ୍ଷୁବ୍ଧ ଜଷ୍ଟିସ କୌଲ ଆନ୍ଦୋଳନରତ ଆଇନଜୀବୀମାନଙ୍କୁ ଚେତାବନୀ ଦେଇ କହିଲେ ଆମେ ଏହି ମାମଲାକୁ ନିର୍ଣ୍ଣାୟକ ମୋଡ଼କୁ ନେବୁ। ଶତାଧିକ ଆଇନଜୀବୀ ଜୀବିକା ହରାଇବେ। ଆମେ ଚାହୁନୁ ଯେ ଜନସାଧାରଣ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତୁ। ଜଷ୍ଟିସ ଓକା କହିଥିଲେ ଯେ ଆନ୍ଦୋଳନରତ ଆଇନଜୀବୀଙ୍କ ପାଇଁ ସେମାନଙ୍କ କନିଷ୍ଠ ଓକିଲମାନେ ମଧ୍ୟ ଅସୁବିଧା‌ର ସମ୍ମୁଖୀନ ହେଉଛନ୍ତି।

ଆନ୍ଦୋଳନକୁ ଉସୁକାଉଥିବାରୁ ଗତକାଲି ସମ୍ବଲପୁର ଜିଲ୍ଲା ବାର ଆସୋସିଏସନ, ବଡ଼ମ୍ବା ବାର ଆସୋସିଏସନ, ବାର ଆସୋସିଏସନ ଅଫ ଟାଙ୍ଗୀ, ତାଳଚେର ବାର ଆସୋସିଏସନ ଏବଂ ପାଲଲହଡ଼ା ବାର ଆସୋସିଏସନର କାର୍ଯ୍ୟକର୍ତ୍ତା ତଥା ପରିଚାଳନା କିମିଟିକୁ ସସ୍‌ପେଣ୍ଡ କରାଯାଇଥିବା ବାର କାଉନସିଲ୍‌ ଅଫ ଇଣ୍ଡିଆ (ବିସିଆଇ) ଅଧ୍ୟକ୍ଷ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ଅନ୍ୟପକ୍ଷରେ ସସପେଣ୍ଡ ଉପରେ ରହିତାଦେଶ ଜାରି କରିବାପାଇଁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କରାଯାଇଥିବା ନିବେଦନକୁ ଖଣ୍ଡପୀଠ ରୋକଠୋକ ମନା କରିଦେଇଥିଲେ।‌ ଖଣ୍ଡପୀଠ କହିଥିଲେ ଯେ ସସ୍‌ପେଣ୍ଡ ଆଦେଶ ଉପରେ ରୋକ ଲଗାଇବାର ପ୍ରଶ୍ନ ଉଠୁନାହିଁ। ଏଥିପାଇଁ ଆମେ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛୁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଥିଲେ।

ଯଦି ବୁଧବାର ସୁଦ୍ଧା ସମସ୍ତ ଆନ୍ଦୋଳନ ସମାପ୍ତ ନହୁଏ, ସମସ୍ତ ଜିଲ୍ଲାର ବାର ଅସୋସିଏସନର କାର୍ଯ୍ୟକର୍ତ୍ତାଙ୍କୁ ସସପେଣ୍ଡ କରିବା ପାଇଁ ସୂଚନା ଦେବାକୁ ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷଙ୍କୁ ଖଣ୍ଡପୀଠ କହିଥିଲେ। ବିଭିନ୍ନ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଉପରେ ଟିପ୍ପଣୀ ଦେଇ ଖଣ୍ଡପୀଠ କହିଲେ, ବାସ୍ତବତା ଦୃଷ୍ଟିରୁ ଏହା ସମ୍ଭବପର ନୁହେଁ। ଅନ୍ୟପକ୍ଷରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ଡିଜିଟାଲ ବ୍ୟବସ୍ଥା ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରେଜି‌ଷ୍ଟ୍ରାର ଜେନେରାଲଙ୍କୁ ଖଣ୍ଡପୀଠ କହିଛନ୍ତି।

ଓଡ଼ିଶାରେ କୋର୍ଟ କାର୍ଯ୍ୟ କିଭଳି ସୁରୁଖୁରରେ ଚାଲିବ ସେ ନେଇ ପୋଲିସ ଓ ଅନ୍ୟ ଆବଶ୍ୟକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ କହିଛନ୍ତି। ଖଣ୍ଡପୀଠ କହିଲେ ଯେ ଆଇନଜୀବୀମାନଙ୍କ ଆନ୍ଦୋଳନ ଓ କାର୍ଯ୍ୟବର୍ଜନ ପାଇଁ ଜାନୁଆରି ୨୦୨୨ରୁ ସେପ୍ଟେମ୍ବର ୨୦୨୨ ସୁଦ୍ଧା ୨,୧୪,୧୭୬ ନ୍ୟାୟିକ କାର୍ଯ୍ୟ ଘଣ୍ଟା ନଷ୍ଟ ହୋଇଛି। ଏହାଦ୍ବାରା ନ୍ୟାୟିକ ବ୍ୟବସ୍ଥାକୁ ଠପ୍ କରିଦିଆଯାଇଛି। ଜନତାଙ୍କୁ ନ୍ୟାୟ ପାଇବାରେ ବଞ୍ଚିତ କରାଯାଇଛି ବୋଲି ଜଷ୍ଟିସ କୌଲ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଖଣ୍ଡପୀଠ ଚଳିତମାସ ୨୮କୁ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର