ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କୃଷି ଆଇନ ରଦ୍ଦ ଘୋଷଣା ପରେ ଏହା ଦୀର୍ଘଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷି ସଂଗଠନଗୁଡ଼ିକର ବିଜୟ ବୋଲି କୁହାଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ବ୍ୟାନରରେ ପାଖାପାଖି ୪୦ଟି ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଗତବର୍ଷ ଜୁନରେ ଅଧ୍ୟାଦେଶ ବଳରେ ମୋଦୀ ସରକାର ଏହି ନୂଆ ଆଇନ ଆଣିଥିଲେ ଏବଂ ପରେ ସେପ୍ଟେମ୍ବର ମାସରେ ଏହାକୁ ସଂସଦରେ ଗୃହୀତ କରାଇଥିଲେ। ତେବେ ଏହି କୃଷି ଆଇନ ରଦ୍ଦର ସଫଳତା ପାଇଁ ୫ଟି କାରଣ ରହିଛି ବୋଲି କୁହାଯାଉଛି। ସେଗୁଡ଼ିକ ହେଲା…..
Sambad is now on WhatsApp
Join and get latest news updates delivered to you via WhatsApp
ନେତୃତ୍ବ
କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଦୀର୍ଘବର୍ଷ ଧରି ଫାଟ ରହିଥିଲା। କିନ୍ତୁ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ପାଖାପାଖି ୪୦ଟି ଚାଷୀ ସଂଗଠନ ହାତ ମିଳାଇଥିଲେ। ସଂଗଠନଗୁଡ଼ିକର ନେତାମାନେ ଶେଷପର୍ଯ୍ୟନ୍ତ ଏକାଠି ରହି ଆନ୍ଦୋଳନ କରିବା ଦ୍ବାରା ସରକାର ଆଇନ ରଦ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି। ଆନ୍ଦୋଳନର ପରିଚାଳନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ଗତବର୍ଷ ନଭେମ୍ବର ୭ ତାରିଖରେ ୯ ଜଣଙ୍କୁ ନେଇ ଏକ ମୁଖ୍ୟ କମିଟି ଗଠନ ହୋଇଥିଲା।
ସଂଗଠନ ଏବଂ ରଣନୀତି
ଏସ୍କେଏମ୍ର ପ୍ରତ୍ୟେକ ବୈଠକରେ ବିଭିନ୍ନ ଦଳର ନେତାମାନେ ଜଣକ ପରେ ଜଣେ ଅଧ୍ୟକ୍ଷତା କରୁଥିଲେ। କୌଣସି ନେତା ଯଦି ପୂର୍ବ ଯୋଜନା ଭିତ୍ତିକ କାର୍ଯ୍ୟକ୍ରମଠାରୁ ବାହାରକୁ ଯାଉଥିଲେ ଏବଂ ନିର୍ଦ୍ଧାରିତ ଆଚରଣବିଧିକୁ ଉଲ୍ଲଂଘନ କରୁଥିଲେ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ନିଲମ୍ବିତ କରାଯାଉଥିଲା। ଲଖିମପୁର ଖେରି ହିଂସା ମାମଲାରେ ମୃତ ବିଜେପି କର୍ମୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା କାରଣରୁ ଯୋଗେନ୍ଦ୍ର ଯାଦବଙ୍କୁ ମାସେ ପାଇଁ ଏସକେଏମ୍ ନିଲମ୍ବିତ କରିଥିଲା। ନେତାମାନେ ଏଭଳି ଆଚରଣ ଦେଖାଇଥିଲେ ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା। ଏପରିକି ମୋଦୀ ସରକାରଙ୍କ ମନ୍ତ୍ରୀଙ୍କ ସହିତ ଆଲୋଚନା ସମୟରେ କୃଷକ ନେତାମାନେ ସରକାରୀ ଖାଦ୍ୟ ପ୍ରତ୍ୟାଖ୍ୟାନ କରି ନିଜେ ନେଇଥିବା ଖାଦ୍ୟ ଖାଇଥିଲେ। ନେତାମାନେ ସିଂଘୁ, ଟିକ୍ରି ଏବଂ ଘାଜିପୁରସ୍ଥିତ ଆନ୍ଦୋଳନସ୍ଥଳ ଛାଡ଼ି ନଥିଲେ। କିଛି ଆନ୍ଦୋଳନକାରୀ ଆନ୍ଦୋଳନସ୍ଥଳରେ ଏବଂ ଆଉ କିଛି ନିକଟସ୍ଥ ହୋଟେଲରେ ରହିଥିଲେ। ଆନ୍ଦୋଳନକାରୀଙ୍କ ମନବଳକୁ ଦୃଢ଼ ରଖିବା ପାଇଁ ସେଠାରେ ବକ୍ତାମାନେ ନିୟମିତ ଭାବେ ଭାଷଣ ଦେଇଥିଲେ।
ଅହିଂସ ଓ ଅଣରାଜନୈତିକ
ଯଦିଓ ଅନେକ କୃଷକ ନେତାଙ୍କର ରାଜନୈତିକ ଦଳ ସହିତ ସଂପୃକ୍ତି ଥିଲା କିନ୍ତୁ ଆନ୍ଦୋଳନକୁ ସଂପୂର୍ଣ୍ଣଭାବେ ଅଣରାଜନୈତିକ କରି ରଖାଯାଇଥିଲା। ଟିକ୍ରି, ସିଂଘୁ ଏବଂ ଘାଜିପୁର ସୀମାରେ କୌଣସି ରାଜନୈତିକ ନେତାଙ୍କୁ ମଞ୍ଚରେ ଅନୁମତି ଦିଆଯିବ ନାହିଁ ବୋଲି ସଂଘଗୁଡ଼ିକ ନିଷ୍ପତ୍ତି ନେଇଥିଲେ। ଲାଲକିଲ୍ଲାରେ କୃଷକମାନଙ୍କ ହିଂସ୍ର ଆଚରଣକୁ ବାଦଦେଲେ ଆନ୍ଦୋଳନ ମୋଟାମୋଟି ଭାବେ ଅହିଂସ ରହିଥିଲା। ଆନ୍ଦୋଳନସ୍ଥଳରେ ବିଶୃଙ୍ଖଳାସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖାଯାଇଥିଲା। ମଞ୍ଚରୁ ନିୟମିତ ଭାବେ ଶାନ୍ତ ରହିବା ଏବଂ ଧୈର୍ଯ୍ୟ ଧରିବା ପାଇଁ ଆହ୍ବାନ ଦିଆଯାଉଥିଲା।
ଜନ ସମର୍ଥନ
ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ ପହଞ୍ଚି ଆନ୍ଦୋଳନ ଆରମ୍ଭ କରିବା ପରେ ଦେଶର ବିଭିନ୍ନ ଭାଗରୁ ସମର୍ଥନ ସେମାନଙ୍କୁ ମିଳିଥିଲା। ପଞ୍ଜାବୀ ଏନଆରଆଇମାନେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଥିଲେ। ଆର୍ଥିକ ଏବଂ ଅନ୍ୟ ସମସ୍ତ ପ୍ରକାରର ସହାୟତା ଆନ୍ଦୋଳନକାରୀଙ୍କୁ ବିଭିନ୍ନ ଆଡ଼ୁ ମିଳିଥିଲା। ଏପରିକି ଆମେରିକା, କାନାଡ଼ା ଏବଂ ଅଷ୍ଟ୍ରେଲିଆରେ ଏନଆରଆଇମାନେ ରାଲି ଓ ରୋଡ୍ ସୋ ଆନ୍ଦୋଳନ ସପକ୍ଷରେ କରିଥିଲେ।
ଧୈର୍ଯ୍ୟ
ଗତବର୍ଷ ନଭେମ୍ବର ୨୬ରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଖରା, ବର୍ଷା, ଶୀତ, କାକରରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଜାରି ରଖିଥିଲେ। ପାଖାପାଖି ୭୦୦ ଚାଷୀଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ସେମାନଙ୍କ ଆନ୍ଦୋଳନରେ ଅଟଳ ରହି ଏହାକୁ ଚଳାଇ ରଖିଥିଲେ। ଏହାର ଫଳ ସେମାନଙ୍କୁ ମିଳିଛି।