ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଦ୍ବିପାକ୍ଷିକ କୂଟନୈତିକ ଓ ସାମରିକ ଆଲୋଚନାର ଫଳସ୍ବରୂପ ପୂର୍ବ ଲଦାଖ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟର ତିନିଟି ପ୍ରମୁଖ ସ୍ଥଳରୁ ଉଭୟ ସେନା ସମ୍ପୂର୍ଣ୍ଣ ରୂପେ ସୈନ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଉତ୍ତେଜନା ହ୍ରାସ ପାଇଁ ଏପରି ସୈନ୍ୟ ପ୍ରତ୍ୟାହାର ହୋଇଥିବା ଅଞ୍ଚଳଗୁଡ଼ିକ ହେଲା ଗଲଵାନ ଉପତ୍ୟକା, ୧୫ ନଂ ପାଟ୍ରୋଲିଂ ପଏଣ୍ଟ୍ ଓ ଗୋଗ୍ରାର ଉଷ୍ମପ୍ରସ୍ରବଣ ଇଲାକା(୧୭ଏ ପାଟ୍ରୋଲିଂ ପଏଣ୍ଟ୍)। ତେବେ ଆଲୋଚନାର ଅଂଶବିଶେଷ ସୈନ୍ୟ ପ୍ରତ୍ୟାହାର ପାଇଁ ତଥାପି ବାକି ରହିଛି ଗୁରୁତ୍ବପୂର୍ଣ୍ଣ ପାଙ୍ଗଙ୍ଗ ସୋ ହ୍ରଦର ଫିଙ୍ଗର ଅଞ୍ଚଳ। ସେହି ଇଲାକାରୁ ମଧ୍ୟ ଅନୁରୂପ ପଦକ୍ଷେପର ଔପଚାରିକତା ପାଇଁ ଆଗାମୀ ଦିନରେ ଦୁଇ ପକ୍ଷର ସାମରିକ ସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହେବ।
ସୀମାର ନିରପେକ୍ଷ ଅଞ୍ଚଳରୁ ଏପରି ସୈନ୍ୟ ପ୍ରତ୍ୟାହାର ଜାରି ରହିଥିଲେ ହେଁ ସୀମା ନିକଟରେ ଚୀନୀ ସେନା ପକ୍ଷରୁ ଉତ୍ତେଜନା ହ୍ରାସ ପାଉନାହିଁ। ପୂର୍ବ ଲଦାଖର ଅପରପାର୍ଶ୍ବରେ ଚୀନୀ ସେନା ଗଢ଼ିଥିବା ଅସ୍ଥାୟୀ ଶିବିରମାନଙ୍କରେ ୪୦ ହଜାରରୁ ଅଧିକ ସୈନ୍ୟ ଠୁଳ କରି ରଖିଥିବାରୁ ଏପରି ଆଶଙ୍କା ବଳବତ୍ତର ରହିଛି। ଚୀନୀ ସେନା ସମ୍ପୂର୍ଣ୍ଣ ବାବେ ନିଜର ସ୍ଥାୟୀ ଶିବିରକୁ ଫେରିଗଲେ ହିଁ ଉତ୍ତେଜନା ହ୍ରାସ ସହ ସୀମାରେ ଶାନ୍ତି ଫେରିଆସିବ ବୋଲି ଭାରତ ପକ୍ଷରୁ ବାରମ୍ବାର ସ୍ପଷ୍ଟ କରାଯାଉଛି। ଭାରତ-ଚୀନ୍ ସୀମା ବ୍ୟପାର ସୁପରିଚାଳନା ପାଇଁ ଗଠିତ ଵାର୍କିଂ ମେକାନିଜିମ୍ ଫର କନ୍ସଲ୍ଟେସନ୍ ଆଣ୍ଡ୍ କୋର୍ଡିନେସନ୍ (ଡବ୍ଲ୍ୟୁଏମ୍ସିସି)ର ସପ୍ତଦଶ ବୈଠକ ଗତ ଶୁକ୍ରବାର ବସି ସୀମାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷର ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ସାମଗ୍ରିକ ସୁଗମ ଉନ୍ନତି ଲାଗି ସୀମାରେ ସମ୍ପୂର୍ଣ୍ଣ ଶାନ୍ତି ଓ ସ୍ଥିରତା ବଜାୟ ରହିବା ଜରୁରୀ ବୋଲି ଭାରତ ପକ୍ଷରୁ ଏହି ଆଭାସୀ ବୈଠକର ନେତୃତ୍ବ ନେଇଥିବା ବୈଦେଶିକ ମନ୍ତ୍ରଣାଳୟ(ପୂର୍ବ ଏସିଆ)ର ଯୁଗ୍ମସଚିବ ନବୀନ ଶ୍ରୀବାସ୍ତବ ଗୁରୁତ୍ବାରୋପ କରିଥିଲେ।