ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ଶୁଣାଣିରେ କହିଛନ୍ତି ଯେ ଅପରାଧିକ ମାମଲାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା କେବଳ ଚାର୍ଜସିଟ୍‌ କାରଣରୁ ବନ୍ଦ ହୋଇପାରିବ ନାହିଁ। ଗୋଟିଏ ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତ ହୋଇନଥିବା ଦର୍ଶାଇ ବିଚାରଣ ଚାଲିଥିବା ଅଭିଯୁକ୍ତମାନଙ୍କ କ୍ଷେତ୍ରରେ ଅପରାଧିକ ବିଚାର ପ୍ରକ୍ରିୟା ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ବିଚାରପତି ଏମ୍‌ଆର୍‌ ଶାହ ଏବଂ ବି ଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ନାହିଁ ତେବେ କୋର୍ଟ ଧାରା ୩୧୯ ସିଆର୍‌ପିସି ଅନୁଯାୟୀ କ୍ଷମତା ପ୍ରୟୋଗ କରି ସେମାନଙ୍କ ଅଭିଯୁକ୍ତ ଭାବେ ସଂଲଗ୍ନ କରିପାରିବ। ଅପରାଧରେ ସଂପୃକ୍ତି ଥାଇ ମଧ୍ୟ କେବଳ ଚାର୍ଜସିଟ୍‌ ହୋଇନଥିବାରୁ ଅପରାଧିକ ବିଚାର ପ୍ରକ୍ରିୟା ବନ୍ଦ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

Advertisment

ସ୍ବାସ୍ଥ୍ୟବୀମା ଦାବି ନେଇ ସ୍ଥିତି ସ୍ପଷ୍ଟ କଲେ ସୁପ୍ରିମ୍‌ କୋର୍ଟ
ବୀମା କମ୍ପାନି ସ୍ବାସ୍ଥ୍ୟବୀମା ଦାବିକୁ ଖାରଜ କରିପାରିବେ ନାହିଁ

ନୂଆଦିଲ୍ଲୀସୁପ୍ରିମ୍‌ କୋର୍ଟ ଆଜି ଏକ ଶୁଣାଣିରେ କହିଛନ୍ତି ଯେ କୌଣସି ବୀମାକର୍ତ୍ତା ପଲିସି ଜାରି ହେବାପରେ ପ୍ରସ୍ତାବ ଫର୍ମରେ ବୀମାଧାରକଙ୍କ ଦ୍ବାରା ଦର୍ଶାଯାଇଥିବା ସାଂପ୍ରତିକି ଚିକିତ୍ସା ସ୍ଥିତିକୁ ସୂଚାଇ ଦାବି ଖାରଜ କରିପାରିବେ ନାହିଁ। ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ବି. ଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ବୀମାକାରୀଙ୍କୁ ଦିଆଯାଉଥିବା ସୂଚନାରେ ସବିଶେଷ ତଥ୍ୟ ଅବଗତ କରିବା ପ୍ରସ୍ତାବକଙ୍କ କର୍ତ୍ତବ୍ୟ। ବୀମା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏବଂ ପରିସ୍ଥିତିକୁ ପ୍ରସ୍ତାବକ ଜାଣିଥିବାରୁ ବୀମାଧାରୀଙ୍କୁ ସବୁକିଛି ସ୍ପଷ୍ଟ କରିବା ଆବଶ୍ୟକ। ବୀମାଭୁକ୍ତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ସ୍ଥିତିକୁ ଆକଳନ କରି ପଲିସି ଜାରି କରାଯିବା ପରେ ବୀମାକାରୀ ବର୍ତ୍ତମାନର ଚିକିତ୍ସା ଅବସ୍ଥା କାରଣରୁ ଦାବିକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।