ନୂଆଦିଲ୍ଲୀ: ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ ଦୁନିଆରେ ସବୁ ପ୍ରକାର ସଙ୍କଟ ସାମ୍ନାକୁ ଆସିଛି। ଏହି ଯୁଦ୍ଧ ଯୋଗୁଁ ଅନେକ ଦେଶ ତୈଳ ଏବଂ ଗ୍ୟାସର ଅଭାବର ସମ୍ମୁଖୀନ ହେଉଛନ୍ତି | ସେହିପରି କିଛି ଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଠିକ ଭାବେ ହୋଇପାରୁନାହିଁ | ତେବେ ଜଳବାୟୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଯୁଦ୍ଧ ଆଗାମୀ ଦିନରେ ବିଶ୍ୱ ପାଇଁ ଏକ ବରଦାନ ବୋଲି ପ୍ରମାଣିତ ହୋଇପାରେ। ବାସ୍ତବରେ, ମିଳିତ ଜାତିସଂଘର ପାଣିପାଗ ବିଭାଗର ମୁଖ୍ୟ ପେଟ୍ରି ତାଲାସ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ଜଳବାୟୁ ଦୃଷ୍ଟିକୋଣରୁ ଏକ 'ବରଦାନ' ଭାବରେ ଦେଖାଯାଇପାରେ। ଯୁଦ୍ଧ ଯୋଗୁଁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଏହି ରକ୍ତାକ୍ତ ସଂଘର୍ଷ କିପରି ବରଦାନ ହେବ, ତାହା ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଥିବ |
ତାଲାସ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେତୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଦୀର୍ଘ ଦିନ ଧରି ସବୁଜ ଶକ୍ତିର ବିକାଶ ଏବଂ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ୱିତ କରୁଛି। ସେ କହିଛନ୍ତି ଯେ ବର୍ତ୍ତମାନ ବିଶ୍ୱରେ ତୈଳ ଓ ଗ୍ୟାସ ସଙ୍କଟ ଦେଖାଦେଇଥିବାବେଳେ ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ଏହାର ଏକ ମୁଖ୍ୟ କାରଣ | ଆଉ ଶକ୍ତି ସଙ୍କଟକୁ ସମ୍ମୁଖୀନ କରିବାକୁ ଏବେ ଅନେକ ଦେଶ କୋଇଲା ଭଳି ବିକଳ୍ପ ଉତ୍ସର ବ୍ୟବହାର ବୃଦ୍ଧି କରିଛନ୍ତି | ସେହିପରି ତେଲ, ଗ୍ୟାସ ଓ କୋଇଲା ଭଳି ଅଙ୍ଗାରକାମ୍ଳ ଉତ୍ପାଦନକାରୀ ଇନ୍ଧନର ମୂଲ୍ୟ ବୃଦ୍ଧି ଶକ୍ତି ବଜାରରେ ସୌର ଶକ୍ତି, ପବନ ଶକ୍ତି ଏବଂ ହାଇଡ୍ରୋଥର୍ମାଲ ଶକ୍ତିର ବ୍ୟବହାରକୁ ବଢ଼ାଇ ଦେଇଛି |
ୟୁକ୍ରେନ ଯୁଦ୍ଧ ୟୁରୋପର ଶକ୍ତି କ୍ଷେତ୍ର ପାଇଁ ଏକ ଶକ୍ତ ଧକ୍କା ସଦୃଶ ହୋଇଥିବାବେଳେ ସେ କହିଛନ୍ତି ଯେ ଆଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ ଅକ୍ଷୟ ଶକ୍ତିର ବ୍ୟବହାର ବହୁ ଗୁଣରେ ବଢ଼ିଯିବ | ଆଉ ଅକ୍ଷୟ ଶକ୍ତି ସୃଷ୍ଟି ପାଇଁ ବହୁ ଦେଶ ବିପୁଳ ବିନିଯୋଗ କରିବେ | ଜଳବାୟୁ ଦୃଷ୍ଟିକୋଣରୁ, ୟୁକ୍ରେନର ଲଢେଇ ଏକ ବରଦାନ ଭାବେ ସାବ୍ୟସ୍ତ ହୋଇପାରେ |