ଡବ୍ଲ୍ୟୁଏମ୍ଓର ପୂର୍ବାନୁମାନ: ଏଲ୍‌ନିନୋ ଦୁର୍ବଳ ସତ୍ତ୍ବେ ତାପମାତ୍ରା ଅଧିକ ରହିବ

ନୂଆଦିଲ୍ଲୀ: ବିଶ୍ବ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ଏଲ୍‌ନିନୋକୁ ନେଇ ନୂଆ ତଥ୍ୟ ଜାରି କରିଛି। ଏଲ୍‌ନିନୋ ଏବେ ଦୁର୍ବଳ ହେବା ସତ୍ତ୍ବେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରାୟ ସମସ୍ତ ସ୍ଥଳଭାଗରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବିଡବ୍ଲ୍ୟୁଏମ୍‌ଓର ସଦ୍ୟତମ ଅପଡେଟ୍ ଅନୁଯାୟୀ ମାର୍ଚ୍ଚ-ମେ ମାସରେ ଏଲ୍‌ନିନୋର ପ୍ରଭାବ ବଳବତ୍ତର ରହିବାର ପ୍ରାୟ ୬୦% ସମ୍ଭାବନା ଅଛି ଏବଂ ଏପ୍ରିଲରୁ ଜୁନ୍ ମଧ୍ୟରେ ନିରପେକ୍ଷ ସ୍ଥିତି (ଏଲ୍‌ନିନୋ କିମ୍ବା ଲାନିନା) ଆସିବାର ୮୦% ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଏଲ୍‌ନିନୋ ହାରାହାରି ପ୍ରତି ଦୁଇରୁ ସାତ ବର୍ଷରେ ହୁଏ ଏବଂ ସାଧାରଣତଃ ୯ରୁ ୧୨ ମାସ ପର୍ଯ୍ୟନ୍ତ ତା’ର ପ୍ରଭାବ ରହିଥାଏ। ଏହା ଏକ ପ୍ରାକୃତିକ ଜଳବାୟୁ ଢାଞ୍ଚା ଯାହା କେନ୍ଦ୍ରୀୟ ଏବଂ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠର ଉଷ୍ମତା ସହିତ ଜଡିତ। ଏହା ପୃଥିବୀର ବିଭିନ୍ନ ସ୍ଥାନରେ ପାଣିପାଗ ଓ ଝଡ଼ର ଢାଞ୍ଚାକୁ ପ୍ରଭାବିତ କରିଥାଏ। କିନ୍ତୁ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ ଏହା ଘଟିଛି ବୋଲି
ଡବ୍ଲ୍ୟୁଏମ୍ଓ ମଙ୍ଗଳବାର କହିଛି। ଏଲ୍‌ନିନୋ ଶବ୍ଦଟି କେନ୍ଦ୍ରୀୟ ଓ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠର ତାପମାତ୍ରା ହାରାହାରିଠାରୁ ଅଧିକ ରହିବାକୁ ବୁଝାଏ। ଲାନିନା ହେଉଛି ତା’ର ବିପରୀତ ଏକ ଜଳବାୟୁ ଢାଞ୍ଚା ଯାହା ଦକ୍ଷିଣ ଆମେରିକାର ଉଷ୍ମମଣ୍ଡଳୀୟ ପଶ୍ଚିମ ଉପକୂଳରେ ଭୂପୃଷ୍ଠ-ସମୁଦ୍ର ଜଳର ଶୀତଳତାକୁ ସୂଚାଏ। ବର୍ଷ ଶେଷ ଆଡ଼କୁ ଲାନିନାର ବିକାଶ ହେବାର ସମ୍ଭାବନା ମଧ୍ୟ ରହିଛି, କିନ୍ତୁ ସେଥିରେ ଅନିଶ୍ଚିତତା ଅଛି।
ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି ଯେ, ଭାରତରେ ଚଳିତ ବର୍ଷ ବସନ୍ତ ଋତୁ ଅଳ୍ପଦିନ ପାଇଁ ଅନୁଭୂତ ହେବ। ଜୁନ୍ ସୁଦ୍ଧା ଏଲ୍‌ନିନୋ ସ୍ଥିତି ଧୀରେ ଧୀରେ ନିରପେକ୍ଷ ଆଡ଼କୁ ଗତି କରିବ ଏବଂ ସେପ୍ଟେମ୍ବର ସୁଦ୍ଧା ଲାନିନା ଆରମ୍ଭ ହେବାର ବାଟ ଖୋଲିବ। ବିଶ୍ୱ ଋତୁକାଳୀନ ଜଳବାୟୁ ଅପଡେଟ୍ ଅନୁଯାୟୀ ଡବ୍ଲ୍ୟୁଏମ୍‌ଓ ପୂର୍ବାନୁମାନ କରିଛି ଯେ ଅଧିକାଂଶ ଅଞ୍ଚଳରେ ଆସନ୍ତା ତିନି ମାସ ମଧ୍ୟରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏବଂ ଆଞ୍ଚଳିକ ବୃଷ୍ଟିପାତ ଢାଞ୍ଚା ପ୍ରଭାବିତ ହେବ। ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଶୁକ୍ରବାର ପୂର୍ବାନୁମାନ କରିଥିବା ବେଳେ ଏଲ୍‌ନିନୋ ସ୍ଥିତି ଅଧିକାଂଶ ସମୟ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛି।

ସମ୍ବନ୍ଧିତ ଖବର