ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଜଙ୍ଗଲ ନିଆଁ ଭିତ୍ତିଭୂମି, ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ଭୟାନକ ବିପଦ ସୃଷ୍ଟି କରୁଛି। ଜଙ୍ଗଲ ନିଆଁ ପିଏମ୍ ୨.୫ କଣିକା ପ୍ରଦୂଷଣରେ ବଡ଼ ଯୋଗଦାନ କରୁଛି, ଯାହା କି ମାନବ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ଭାବେ ସାମନାକୁ ଆସିଛି ବୋଲି ମିଳିତ ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍ଓ) କହିଛି। ପଞ୍ଚମ ବାର୍ଷିକ ବାୟୁ ଗୁଣବତ୍ତା ଓ ଜଳବାୟୁ ବୁଲେଟିନ୍ରେ ଡବ୍ଲୁଏମ୍ଓ କହିଛି ଯେ ଗତବର୍ଷ ବାୟୁ ପ୍ରଦୂଷଣରେ ଜଙ୍ଗଲ ନିଆଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା।
ଜଳବାୟୁ ପରିବର୍ତ୍ତନ ଓ ବାୟୁର ଗୁଣବତ୍ତାକୁ ଅଲଗା ଭାବେ ସମାଧାନ କରାଯାଇପାରିବ ନାହିଁ। ଆମ ପୃଥିବୀ, ଆମ ସମ୍ପ୍ରଦାୟ ଓ ଆମ ଅର୍ଥନୀତିକୁ ସୁରକ୍ଷିତ ରଖିବା ପାଇଁ ଏଗୁଡ଼ିକର ଏକାଠି ମୁକାବିଲା କରାଯିବା ଆବଶ୍ୟକ ବୋଲି ଉପମହାସଚିବ କୋ ବ୍ୟାରେଟ୍ କହିଛନ୍ତି। ୨୦୨୪ରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ କାନାଡ଼ା, ସାଇବେରିଆ ଓ କେନ୍ଦ୍ରୀୟ ଆଫ୍ରିକାରେ ପିଏମ୍ ୨.୫ ସ୍ତର ଅଧିକ ରହିଥିଲା ଏବଂ ଆମାଜନ ଅବବାହିକାରେ ସବୁଠାରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି। ଡବ୍ଲୁଏମ୍ଓ ବୈଜ୍ଞାନିକ ଅଧିକାରୀ ଲରେଞ୍ଜୋ ଲାବ୍ରାଡୋର ବୁଲେଟିନ୍ର ସଂଯୋଜନା କରି କହିଛନ୍ତି ଯେ, କାନାଡ଼ାରେ ନିଆଁ ୟୁରୋପରେ ବାୟୁର ଗୁଣବତ୍ତାକୁ ମଧ୍ୟ ପ୍ରଭାବିତ କରିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁଁ ବାର୍ଷିକ ୪.୫ ନିୟୁତରୁ ଅଧିକ ଅକାଳ ମୃତ୍ୟୁ ହୋଇଥାଏ। ମାନବ ଓ ପରିବେଶ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ କୃଷି ଓ ଅର୍ଥନୈତିକ କ୍ଷତି ହ୍ରାସ କରିବା ପାଇଁ ଉନ୍ନତ ତଦାରଖ ଓ ନୀତି ପାଇଁ ଡବ୍ଲୁଏମ୍ଓ ଆହ୍ୱାନ ଦେଇଛି। ଡବ୍ଲୁଏମ୍ଓର ବିଶ୍ୱ ବାୟୁମଣ୍ଡଳ ମୁଖ୍ୟ ପାଓଲୋ ଲାଜ୍ କେତେକ କ୍ଷେତ୍ରରେ ସଫଳ ପ୍ରଶମନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ୟୁରୋପର ବିଭିନ୍ନ ସହର, ଚୀନ୍ର ସାଂଘାଇ, ବେଜିଂ ଏବଂ ଆମେରିକାର ଅନେକ ସହର ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଲଗାତାର ପଦକ୍ଷେପ ନେଉଥିବାରୁ ଏହାର ସୁଫଳ ଲୋକଙ୍କୁ ମିଳୁଛି। ୧୦ ବର୍ଷ ମଧ୍ୟରେ ଚୀନ୍ ସହରଗୁଡ଼ିକ ନାଟକୀୟ ଢଙ୍ଗରେ ସେମାନଙ୍କ ବାୟୁ ଗୁଣବତ୍ତାରେ ଉନ୍ନତି ଆଣିଛନ୍ତି। ଏଭଳି ପଦକ୍ଷେପ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର କାର୍ଯ୍ୟକାରୀ କରିବା ଜରୁରି ବୋଲି ଡବ୍ଲୁଏମ୍ଓ ରିପୋର୍ଟରେ କୁହାଯାଇଛି।