ଅଜଣାତରେ ସାପ ମୁହଁ ମାରିଥିବା କ୍ଷୀର ପିଇ ଦୁଇ ଭଉଣୀଙ୍କ ମୃତ୍ୟୁ

ଗାଜିପୁର: ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲା ମରଦହ ଗାଁରେ ଗତ ଶନିବାର କ୍ଷୀର ପିଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି । କ୍ଷୀର ପିଇବାର କିଛି ସମୟ ପରେ ଦୁଇ ଭଉଣୀଙ୍କ ମୁହଁରୁ ଫେଣ ବାହାରିବା ସହିତ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ଉଭୟଙ୍କୁ ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହସ୍ପିଟାଲରେ ଡାକ୍ତର ଦୁଇ ଭଉଣୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଛୋଟକା ମରଦହ ଗାଁରେ କରିମ ଅହମଦ ନିଜ ପତ୍ନୀ ଓ ୫ ବର୍ଷ ଓ ୩ ବର୍ଷର ଦୁଇ ଝିଅ ସହ ରୁହନ୍ତି । କୁହାଯାଉଛି ଘରେ ସମସ୍ତେ ଶୋଇଥିଲେ । ହଠାତ ଦୁଇ ଭଉଣୀ ନିଦରୁ ଉଠି କାନ୍ଦିଥିଲେ | ଦୁଇ ଝିଅ କାନ୍ଦୁଥିବା ଶୁଣି କରିମଙ୍କର ମଧ୍ୟ ନିଦ ଭାଙ୍ଗି ଯାଇଥିଲା । ସେ ଦୁଇ ଝିଅଙ୍କୁ ଚୁପ କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଚୁପ ନ ହେବାରୁ ତାଙ୍କୁ କ୍ଷୀର ଆଣି ପିଇବାକୁ ଦେଇଥିଲେ । କ୍ଷୀର ପିଇବାର କିଛି ସମୟ ପରେ ଦୁଇ ଭଉଣୀ ଛଟପଟ ହୋଇଥିଲେ ଓ ତାଙ୍କ ମୁହଁରୁ ଫେଣ ବାହାରିଥିବା ଦେଖିବାକୁ ପାଇଥିଲେ ।

ହଠାତ ଦୁଇ ଝିଅଙ୍କୁ ଛଟପଟ ହେଉଥିବା ଦେଖି ଘରଲୋକଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ଯେଉଁଠି କ୍ଷୀର ରଖା ଯାଇଥିଲା କିଛି ଦୂରରେ ଏକ ବିଷାକ୍ତ ସାପ ଥିବା ଘରଲୋକ ଦେଖିବାକୁ ପାଇଥିଲେ। ଦୁଇ ଝିଅଙ୍କୁ ହସ୍ପିଟାଲ ନେଇଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା । ଦୁଇ ନିରୀହ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକ ଖେଳି ଯାଇଥିଲା ।

ସମ୍ବନ୍ଧିତ ଖବର