ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଘନଘଟା ମଧ୍ୟରେ ଏୟାର ଷ୍ଟ୍ରାଇକ୍ ସାଇରନ୍, ରକେଟ୍, ଗୁଳି ଓ ଚିତ୍କାରର ଶବ୍ଦ ଶୁଣି ଭୟଭୀତ ଅବସ୍ଥାରେ ଥିବା ପ୍ରାୟ ୨୦୦ ଭାରତୀୟଙ୍କ ପ୍ରଥମ ବ୍ୟାଚ୍ ଇସ୍ରାଏଲରୁ ସ୍ୱଦେଶ ନିରାପଦରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଶନିବାର ସକାଳେ ଇସ୍ରାଏଲର ଦକ୍ଷିଣ ଭାଗରେ ହମାସ ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଏବଂ ଅଭୂତପୂର୍ବ ଆକ୍ରମଣ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣରେ ଇସ୍ରାଏଲରେ ଅତି କମରେ ୭୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨,୧୦୦ରୁ ଅଧିକ ଆହତ ହୋଇଛନ୍ତି। ବିଗତ ୫୦ ବର୍ଷ ମଧ୍ୟରେ ଇସ୍ରାଏଲ ପାଇଁ ଶନିବାର ଥିଲା ସବୁଠାରୁ ଭୟଙ୍କର ଦିନ।
‘ଏୟାର ଷ୍ଟ୍ରାଇକ୍ ସାଇରନ୍ ଶବ୍ଦ ଶୁଣି ଆମେ ଭୟରେ ଉଠି ପଡ଼ିଥିଲୁ। ଆମେ କେନ୍ଦ୍ରୀୟ ଇସ୍ରାଏଲରେ ରହୁଛୁ ଏବଂ ଏହି ସଂଘର୍ଷ କ’ଣ ରୂପ ନେବ ମୁଁ ଜାଣେ ନାହିଁ‘; ବୋଲି ଶାଶ୍ୱତ ସିଂହ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଗଣମାଧ୍ୟମକୁ କହିଛନ୍ତି। ୨୦୧୯ ମସିହାରୁ ଇସ୍ରାଏଲରେ କୃଷି ବିଜ୍ଞାନ ଉପରେ ପୋଷ୍ଟ ଡକ୍ଟରେଟ୍ ଗବେଷଣା କରୁଥିବା ଶାଶ୍ୱତ ସିଂହ କହିଛନ୍ତି ଯେ ସେହି ସାଇରନ୍ର ଶବ୍ଦ ଏବଂ ଗତ କିଛି ଦିନର ରାତ୍ରିକାଳୀନ ଅନୁଭୂତି ତାଙ୍କୁ ଏବେ ବି ବ୍ୟଥିତ କରୁଛି।
ବିମାନରୁ ଅବତରଣ ପରେ ଶ୍ରୀ ସିଂହ କହିଛନ୍ତି ଯେ ଭାରତୀୟମାନଙ୍କୁ ଫେରାଇ ଆଣିବା ଏକ ପ୍ରଶଂସନୀୟ ପଦକ୍ଷେପ। ଆମେ ଆଶା କରୁଛୁ ଯେ ଇସ୍ରାଏଲରେ ଶାନ୍ତି ଫେରିବ ଏବଂ ଆମେ ପୁଣି କାମକୁ ଫେରିବୁ। ଭାରତ ସରକାର ଇ-ମେଲ୍ ଜରିଆରେ ଆମ ସହ ଯୋଗାଯୋଗ କରିଥିଲେ। ଆମେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଉଛୁ।
ହମାସ ଆତଙ୍କବାଦୀଙ୍କ ଦ୍ୱାରା ଇସ୍ରାଏଲର ସହରଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣ ପରେ ଏହି ଅଞ୍ଚଳରେ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇବା ପରେ ସ୍ୱଦେଶ ଫେରିବାକୁ ଚାହୁଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଭାରତ ଅପରେସନ୍ ଅଜୟ ଆରମ୍ଭ କରିଛି। ସ୍ୱଦେଶ ଫେରି ଆସିଥିବା ଅନେକ ଛାତ୍ର ଶନିବାରର ଦୁର୍ଭାଗ୍ୟଜନକ ରାତିକୁ ମନେ ପକାଇଥିଲେ ଏବଂ ହମାସର ରକେଟ୍ ଆକ୍ରମଣ ପରେ ସେମାନଙ୍କୁ କିପରି ଏକାଧିକ ଥର ଆଶ୍ରୟସ୍ଥଳୀକୁ ଦୌଡ଼ିବାକୁ ପଡ଼ିଥିଲା, ସେ ସଂପର୍କରେ ବର୍ଣ୍ଣନା କରିଥିଲେ।
ପଶ୍ଚିମବଙ୍ଗର ବାସିନ୍ଦା ତଥା ଇସ୍ରାଏଲର ନେଗେଭ୍ର ବେନ୍- ଗୁରିୟନ ବିଶ୍ୱବିଦ୍ୟାଳୟର ପିଏଚ୍ଡି ପ୍ରଥମ ବର୍ଷର ଛାତ୍ର ସୁପର୍ଣ୍ଣୋ ଘୋଷ ମଧ୍ୟ ଏହି ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଥିବା ଭାରତୀୟଙ୍କ ମଧ୍ୟରେ ଥିଲେ। ସେ କହିଛନ୍ତି, ‘କ’ଣ ହେଲା ଆମେ ଜାଣି ପାରିଲୁ ନାହିଁ। ଶନିବାର କିଛି ରକେଟ୍ ଉତକ୍ଷେପଣ କରାଯାଇଥିଲା। କିନ୍ତୁ ଆଶ୍ରୟସ୍ଥଳୀରେ ଆମେ ସୁରକ୍ଷିତ ଥିଲୁ। ଭଲ କଥା ହେଉଛି ଇସ୍ରାଏଲ ସରକାର ସବୁଠି ଆଶ୍ରୟସ୍ଥଳୀ ତିଆରି କରିଛନ୍ତି, ତେଣୁ ଆମେ ସୁରକ୍ଷିତ ଥିଲୁ।’
ଅନେକ ଛାତ୍ରୀ ମଧ୍ୟ ଏହି ଆକ୍ରମଣ ସମୟରେ ସମ୍ମୁଖୀନ ହୋଇଥିବା ଗମ୍ଭୀର ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି। ‘ଏହା ଏକ ଆତଙ୍କିତ ପରିସ୍ଥିତି ଥିଲା। ଆମେ ସେଠାରେ ନାଗରିକ ନୁହଁ, ଆମେ କେବଳ ଛାତ୍ର। ତେଣୁ ଯେତେବେଳେ ବି ସାଇରନ୍ ବାଜିବ, ଆମ ପାଇଁ ଏହା ଏକ ଆତଙ୍କଜନକ ପରିସ୍ଥିତି’ ବୋଲି ଜୟପୁର ବାସିନ୍ଦା ମିନି ଶର୍ମା କହିଛନ୍ତି।
ଗତକାଲି ସକାଳେ ଭାରତୀୟ ଦୂତାବାସ ପକ୍ଷରୁ ଏକ ମେସେଜ ମିଳିବା ପରେ ଆମେ ବ୍ୟାଗ୍ ପ୍ୟାକ୍ କରିଥିଲୁ। ସେମାନେ ବହୁତ ସାହାଯ୍ୟ କରିଥିଲେ। ଆମେ ସେମାନଙ୍କ ସହ ୨୪ ଘଣ୍ଟା ଧରି ଯୋଗାଯୋଗରେ ରହିଥିଲେ ବୋଲି ଶ୍ରୀମତୀ ଶର୍ମା କହିଛନ୍ତି।
ଅନ୍ୟ ଜଣେ ଛାତ୍ର ଦୀପକ କହିଛନ୍ତି, ‘ଆମେ ଶନିବାର ସାଇରନ୍ ଶୁଣିଥିଲୁ। ଆକ୍ରମଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଇସ୍ରାଏଲ କର୍ତ୍ତୃପକ୍ଷ ଆମକୁ (ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ) ନିର୍ଦ୍ଦେଶ ଦେଉଥିଲେ। ମୁଁ ଘରକୁ ଫେରି ଖୁସି କିନ୍ତୁ ଏହା ସହିତ ଦୁଃଖିତ ଯେ ଆମର ବନ୍ଧୁମାନେ ସେଠାରେ (ଇସ୍ରାଏଲରେ) ଅଛନ୍ତି।’
ଇସ୍ରାଏଲରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କ ପ୍ରଥମ ଦଳ ମଧ୍ୟରେ ଥିବା ପଶ୍ଚିମବଙ୍ଗର ଅନ୍ୟ ଜଣେ ବାସିନ୍ଦା ଦୂତି ବାନାର୍ଜୀ କହିଛନ୍ତି ଯେ ଇସ୍ରାଏଲରେ ସ୍ଥିତି ଅତ୍ୟନ୍ତ ବିଶୃଙ୍ଖଳିତ ଏବଂ ଅସ୍ଥିର ଅବସ୍ଥାରେ ଅଛି। ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟଭୀତ ଓ କ୍ରୋଧିତ ହୋଇ ପଡ଼ିଛନ୍ତି। ଏପରିକି ମୁଁ ଫେରିବା ସମୟରେ ମଧ୍ୟ ସାଇରନ୍ ଶୁଣିଥିଲି ଏବଂ ମୋତେ ଆଶ୍ରୟସ୍ଥଳକୁ ଯିବାକୁ ପଡ଼ିଥିଲା। ଅନ୍ୟ ଜଣେ ଛାତ୍ର ସୋନି ଭାରତ ଓ ଇସ୍ରାଏଲ ସରକାରଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏପରିସ୍ଥିତିରେ ବି ସେମାନେ ଆମର ଏତେ ଭଲ ଯତ୍ନ ନେଇଛନ୍ତି।