ମିରଟ: ଉତ୍ତର ପ୍ରଦେଶର ମିରଟ୍ରେ ଏକ ‘ଲଭ୍ ଜିହାଦ୍’ ମାମଲା ପଦାରେ ପଡ଼ିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ବୈବାହିକ ଦୁଷ୍କର୍ମ ଏବଂ ହିନ୍ଦୁ ଧର୍ମ ଛାଡ଼ି ଇସ୍ଲାମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିବା ଦୋଷାରୋପ କରିଛନ୍ତି।
କୋଲ୍କାତାରୁ ଆସିଥିବା ସେ ମହିଳା ଅଭିଯୋଗ କରିଛନ୍ତି ଯେ ହିନ୍ଦୁ ବୋଲି ଛଳନା କରି ସ୍ୱାମୀ ତାଙ୍କୁ ବାହା ହୋଇଥିଲେ। ସେ କହନ୍ତି: କାମ କରିବାକୁ ସେ ମୋ ଗଅାଁକୁ ଯାଉଥିବା ବେଳେ ମୋ ବାପା ତାଙ୍କ ଦାଦିଙ୍କ ସହ ବନ୍ଧୁତା କରିଥିଲେ।
ମହିଳାଙ୍କ ମାଆଙ୍କ ଦେହ ଭଲ ହେଉ ନ ଥିବାରୁ ଘର ଲୋକେ ଝିଅକୁ ସେ ଲୋକ ସହ ବାହା କରାଇ ଦେବାକୁ ସ୍ଥିର କରିଥିଲେ।
ମହିଳାଜଣକ କହିଛନ୍ତି ଯେ କିଛି ଦିନ କୋଲକାତାରେ ରହିବା ପରେ ସ୍ୱାମୀ ତାଙ୍କୁ ମିରଟ୍ର ସର୍ଦାନାକୁ ନେଇ ଆସିଥିଲେ।
ଜଣେ ହିନ୍ଦୁ ବୋଲି ଜାଣି ୧୦ ବର୍ଷ ତଳେ ମୁଁ ସ୍ୱାମୀଙ୍କୁ ବାହା ହୋଇଥିଲି, କିନ୍ତୁ ଶାଶୂଘର ମିରଟ୍ ଆସିବା ପରେ ଜାଣିଲି ମୋ ସ୍ୱାମୀ ଜଣେ ମୁସଲମାନ। ମତେ ମଧ୍ୟ ଇସ୍ଲାମ୍ ଧର୍ମ ଗ୍ରହଣ କରାଇବାକୁ ଚେଷ୍ଟା କରିଥିଲେ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଶାଶୂଘର ଲୋକେ ମଧ୍ୟ ତାଙ୍କୁ ଇସ୍ଲାମ୍ ଧର୍ମ ମତେ ପୁନର୍ବିବାହ କରାଇଥିଲେ ଏବଂ ୧୦ ବର୍ଷ ଧରି ସର୍ଦାନାରେ ନଜରବନ୍ଦୀ କରି ରଖିଥିଲେ। ଏହି ସମୟ ମଧ୍ୟରେ ସ୍ୱାମୀ ତାଙ୍କୁ କେତେ ଥର ଆକ୍ରମଣ କରିଛନ୍ତି ଏବଂ ତାଙ୍କ ପରିବାର ସଦସ୍ୟମାନେ ମାରି ଦେବାକୁ ଉଦ୍ୟମ କରିଛନ୍ତି।
ଦିଅର ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ଶାଶୂଘର ଲୋକେ ତାଙ୍କୁ ନେଇ ନିକଟବର୍ତ୍ତୀ ଜଙ୍ଗଲରେ ଫିଙ୍ଗି ଦେଇ ଆସିଥିଲେ।
ଶନିବାର ଦିନ ମହିଳା ଜଣ କେତେ ଜଣ ବଜରଙ୍ଗ ଦଳ ସଦସ୍ୟଙ୍କ ସହ ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ନିକଟରେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି।
୧୦ ବର୍ଷ ପରେ ଅଭିଯୋଗ ଆସିଛି। ଏହା ଘରୋଇ କଳିର ପରିଣାମ ହୋଇ ଥାଇ ପାରେ। ତଦନ୍ତରୁ ସତ୍ୟ ଜଣାପଡ଼ିବ ବୋଲି ମିରଟ ଏସ୍ଏସ୍ପି ରାଜେଶ ପାଣ୍ଡେ କହିଛନ୍ତି।