ନିଜ ଗାଁ’କୁ ବାହ୍ୟ ମଳମୁକ୍ତ କରାଇଥିବା ଦିବ୍ୟାଙ୍ଗ ପୁଅର ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ମାଆ

ନୂଆଦିଲ୍ଲୀ: ଦିବ୍ୟାଙ୍ଗ ପୁଅର ଡାକ୍ତରୀ ଚିକିତ୍ସା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଚାହିଁଛନ୍ତି ଜଣେ ମାଆ। ଗତକାଲି ପ୍ରସାରିତ ହୋଇଥିବା ରେଡ଼ିଓ ଅଭିଭାଷଣ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ସେ ଆଠ ବର୍ଷିୟ ବାଳକର ପ୍ରଶଂସା କରିଥିଲେ।

ନିଜ ଗାଁ’କୁ ବାହ୍ୟ ମଳମୁକ୍ତ କରାଇବାରେ ସେ ବାଳକ ତୁଷାରର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।

ତା’ର ମାଆ କହିଛନ୍ତି: ମୋର ମୂକ ଓ ବଧୀର ପୁଅ ଆମ ଗାଁ’କୁ ପ୍ରଶଂସା କରାଇଥିବାରୁ ଆମେ ଗୌରବାନ୍ଵିତ। ଆମେ ତା’ର ଚିକିତ୍ସା ପାଇଁ ଅର୍ଥ ଯୋଗାଇ ପାରୁ ନାହୁଁ। ଭାରତ କିଂବା ଭାରତ ବାହାରେ ତା’ର ଅପରେସନ୍‌ କରାଇବାକୁ ସହାୟତା କରିବାକୁ ଆମେ ମୋଦିଜୀଙ୍କୁ ନିବେଦନ କରୁଛୁ।


Courtesy of ANI
ତୁଷାର ନାମକ ବାଳକଟିଏ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲା ଅନ୍ତର୍ଗତ କୁହ୍ମାରି ଗାଁ’କୁ ବାହ୍ୟ ମଳମୁକ୍ତ କରି ପାରିଲା, ରେଡିଓ ଅଭିଭାଷଣ ‘ମନ୍‌କି ବାତ୍‌’ର ୩୮ଶ ସଂସ୍କରଣରେ ମୋଦି ଦେଶବାସୀଙ୍କୁ କହିଥିଲେ।

ପ୍ରତିଦିନ ଭୋର୍‌ ୫ଟାରୁ ଉଠି ତୁଷାର ତାଙ୍କ ଗାଁ’ର ୩୦/୪୦ ଘରକୁ ଯାଇ ଲୋକମାନଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଏ। ସଙ୍କେତ ଏବଂ ସିଟି ଯୋଗେ ମୂକ-ବଧୀର ବାଳକଟି ଏସବୁ କଥା ଗ୍ରାମବାସୀଙ୍କୁ ଜଣାଏ।

ସ୍ୱଚ୍ଛତାର ପ୍ରସାର ପ୍ରତି ତୁଷାରର ଜିଗର ସମସ୍ତଙ୍କୁ ଉଦ୍‌ବୁଦ୍ଧ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେ ପିଲା ହୁଅନ୍ତୁ କି, ବୟସ୍କ, ନାରୀ ହୁଅନ୍ତୁ କି, ପୁରୁଷ, ପରିଚ୍ଛନ୍ନତା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଥି ପ୍ରତି ସମସ୍ତଙ୍କର ଅବଦାନ ରହିବା କଥା।


କ୍ଷୁଦ୍ର ବାଳକର କୃତ୍ୱିତ୍ୱରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆନନ୍ଦ ପ୍ରକାଶ କରିଛନ୍ତି।

ଶିବରାଜ ଟୁଇଟ୍‌ କରିଛନ୍ତି: ତାଙ୍କ ଗାଁକୁ ବାହ୍ୟ ମଳ ଶାପରୁ ମୁକ୍ତ କରିଥିବାରୁ ମୁଁ ତୁଷାରଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ତାଙ୍କ ପାଇଁ ଗୌରବାନ୍ଵିତ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋର ଆନ୍ତରିକ ଶୁଭେଚ୍ଛା।

ସମ୍ବନ୍ଧିତ ଖବର