ଅହମଦାବାଦ : ଅହମଦାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ପାଇଁ ଜଣେ ୩୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଯାଇଛି, ସ୍ବାମୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ଫ୍ଲାଟ୍ ଜଳି ଯାଇଛି। ସକାଳ ଜଳଖିଆରେ ଥଣ୍ଡା ବ୍ରେଡ୍ ପାଇଁ ଏତେବଡ଼ ମହାଅନର୍ଥ ହୋଇଯାଇଛି। ନିର୍ବାହୀ ଯନ୍ତ୍ରୀ ଅନୀଲ ବାଘେଲ ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ ତାଙ୍କ ପତ୍ନୀ ଅନୀତା ଶୁକ୍ରବାର ସକାଳେ ତାଙ୍କୁ ଜଳଖିଆରେ ଥଣ୍ଡା ବ୍ରେଡ୍ ଦେଇଥିଲେ। ଅନୀଲ ଏଥିରେ ଅସନ୍ତୋଷ ପ୍ରକାଶ କରିବାରୁ ଅନୀତା ଖୁବ୍ ରାଗି ଯାଇଥିଲେ। ଏହାପରେ ସେ ଛୁରୀ ଆଣି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ଛୁରୀରେ ଆକ୍ରମଣ କରିବା ସହ ସେ ନିଜେ ନିଜକୁ ଏକାଧିକ ଥର ଛୁରୀ ମାରିଥିଲେ। ଏହାପରେ ପିଏନ୍ଜି ପାଇପ୍ ଖୋଲି ଘରେ ନିଆଁ ଲଗାଇ ଦେଇଥିଲେ। ଅନୀଲ କହିଛନ୍ତି, ସେ ତାଙ୍କ ପତ୍ନୀଙ୍କୁ ନିଆଁ ଲଗାଇବାରୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେବାରୁ ସେ ପଡ଼ୋଶୀଙ୍କ ସହଯୋଗ ପାଇଁ ବାହାରକୁ ଦୌଡ଼ିଥିଲେ।
ଅନୀଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସାହାଯ୍ୟ ପାଇଁ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ ଏବଂ ପଡ଼ୋଶୀଙ୍କୁ ଡାକି ଅନୀତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ପଡ଼ୋଶୀମାନେ ଆସିବାବେଳକୁ ଅନୀତା ଘର କବାଟ ଭିତର ପଟୁ ବନ୍ଦ କରିଦେଇଥିଲେ। ଏହାପରେ ସେମାନେ ସୁରକ୍ଷା କର୍ମୀଙ୍କୁ ଡାକି ଘର କବାଟ ଭାଙ୍ଗିଥିଲେ। କିନ୍ତୁ ଅନୀତାଙ୍କ ତଣ୍ଟି, ହାତ, ଛାତି ଏବଂ ପେଟରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଲୋକମାନେ ପୁଲିସ ଏବଂ ଅଗ୍ନି ନିର୍ବାପକ ଦଳକୁ ଖବର ଦେଇଥିଲେ। ୯ଟି ଅଗ୍ନିଶମ ଗାଡ଼ି ଏବଂ ୩୦ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ତେବେ ଅନୀତାଙ୍କ ଶରୀର ବିଶେଷ ପୋଡ଼ିନାହିଁ, ଛୁରୀରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଉକ୍ତ ଘଟଣାରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଅନୀତାଙ୍କୁ ହତ୍ୟା କରାଯାଇଛି କି ନା’ ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ଏସିପି ଡିଭି ରାଣା କହିଛନ୍ତି। ଅନୀଲ ଏବଂ ଅନୀତାଙ୍କର ୧୩ ବର୍ଷର ପୁଅ ଏବଂ ୧୧ ବର୍ଷର ଝିଅ ଅଛନ୍ତି। ଘଟଣା ଘଟିବା ସମୟରେ ସେମାନେ ସ୍କୁଲ୍ରେ ଥିଲେ। ଅନୀଲ ବାଘେଲ ଏକ କୋରିଆ ଫାର୍ମରେ ନିର୍ବାହୀ ଅଛନ୍ତି । ତାଙ୍କ ପତ୍ନୀ ହେଉଛନ୍ତି ଜଣେ ଟାଇଲ ଡିଜାଇନର।