ଭୋପାଳ: ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଭୋଟ୍ ଦେଇଥିବା ଜଣେ ମୁସଲମାନ ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ସମେତ ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଡିସେମ୍ବର ୪ ତାରିଖରେ ମହିଳାଙ୍କୁ ଆକ୍ରମଣ କରାଯାଇଥିଲା।

Advertisment

ନିଜ ଦୁଃଖ ବର୍ଣ୍ଣନା କରି ସମିନା କହିଛନ୍ତି, ଡିସେମ୍ବର ୪ରେ ବିଜେପିର ବିଜୟକୁ ନେଇ ମୁଁ ଓ ମୋ ପରିବାର ଖୁସି ମନାଇଥିଲୁ। ଏଥିରୁ ମୁଁ କଂଗ୍ରେସ ବଦଳରେ ବିଜେପିକୁ ଭୋଟ ଦେଇଛି ବୋଲି ଜଣାପଡ଼ି ଯାଇଥିଲା, ଯାହା ମୋ ଦିଅର ଜାଭେଦଙ୍କୁ କ୍ରୋଧିତ କରିଥିଲା। ୩୦ ବର୍ଷୀୟା ପୀଡ଼ିତା ହେଉଛନ୍ତି ମଧ୍ୟପ୍ରଦେଶର ସିହୋର ଜିଲ୍ଲା ବରଖେଡା ହାସନ ଗାଁର ବାସିନ୍ଦା। ଏନେଇ ସେ ଶୁକ୍ରବାର ଜିଲ୍ଲାପାଳ ଓ ଥାନାରେ ଅଭିଯୋଗ କରିଥିଲେ। ସମିନା କହିଛନ୍ତି, ଝଗଡ଼ା ସମୟରେ ତାଙ୍କ ସ୍ୱାମୀ ଦିଅରଙ୍କୁ ସମର୍ଥନ କରିଥିଲେ। ଆକ୍ରମଣ ପରେ ପୀଡ଼ିତା ଅହମଦପୁର ଥାନାରେ ଅଭିଯୋଗ କରିଥିଲେ। ନ୍ୟାସନାଲ ପସମାଣ୍ଡା ମୁସଲିମ ଫେଡେରେସନର ରାଜ୍ୟ ସଭାପତି ନୌଶାଦ ଖାନ ପୀଡ଼ିତା ଓ ତାଙ୍କ ବାପାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।

ଏନେଇ ସେମାନେ ଜିଲ୍ଲାପାଳ ପ୍ରବୀଣ ସିଂହଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ପୁଲିସ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ଆଜି ସମିନା ତାଙ୍କ ଦୁଇ ପିଲାଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସମିନା ଓ ତାଙ୍କ ପରିବାରର ସୁରକ୍ଷା ନେଇ ଆଶ୍ବସ୍ତ କରିଥିଲେ।