ଟ୍ବିଟର୍‌ରେ ନିଜର ଶେଷ କେମୋ ସେସନ୍‌ର ଭିଡିଓ ସେୟାର୍‌ କଲେ କର୍କଟ ରୋଗୀ, ଫଲୋୟର୍ସ ସଂଖ୍ୟା ୧୨ରୁ ରାତାରାତି ୩୨,୫୦୦ ଛୁଇଁଲା

ନୂଆଦିଲ୍ଲୀ: କର୍କଟ ପରି ଏକ ‌ରୋଗ ସହ ଲଢ଼ିବା ଆଦୌ ସହଜ କଥା ନୁହେଁ। ପୁଣି  ନିଜ କାହାଣୀ ସମସ୍ତଙ୍କୁ ଜଣାଇବା ସବୁ କର୍କଟ ରୋଗୀଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ। ମାତ୍ର କେମୋଥେରାପି ଓ ରେଡିଏସନ୍ ସେସନ ପରେ କର୍କଟକୁ ଜିଣି ପାରୁଥିବା ରୋଗୀମାନେ ଅନ୍ୟ ରୋଗୀମାନଙ୍କ ପାଇଁ ପ୍ରେରଣା ପାଲଟି ଯାଆନ୍ତି। କର୍କଟ ସହ ଲଢ଼େଇ କରୁଥିବା ଜଣେ ସାହସୀ ମହିଳା ହେଉଛନ୍ତି ଇଂଲଣ୍ଡର କେଟି ହେଲାଣ୍ଡ୍‌। କେଟି ନିଜର ଶେଷ କେମୋ ସେସନ୍‌ର ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ଭିଡିଓଟିରେ ତାଙ୍କ କେମୋ ଚିକିତ୍ସା କରାଯାଉଥିବାର ଦେଖିବାକୁ ମିଳିଛି। ସେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ତାଙ୍କ କେମୋ ଚିକିତ୍ସାର ଭିିଡିଓ ସେୟାର୍‌ କରି ଲେଖିଛନ୍ତି, ‘ମୋର ସମୁଦାୟ ୧୨ ଜଣ ଫଲୋୟର୍ସ ଅଛନ୍ତି। ମୁଁ ସମସ୍ତଙ୍କୁ(ଅତି କମ୍‌ରେ ୧୨ ଜଣଙ୍କୁ) ମୋର ଶେଷ କେମୋ ସେସନର ଭିଡିଓ ଦେଖାଇବାକୁ ଚାହୁଁଛି।’

ତିନି ଦିନ ତଳେ ସେୟାର୍‌ କରାଯାଇଥିବା ଏହି ଭିଡିଓକୁ ଏବେ ସୁଦ୍ଧା ୧୦.୩ ମିଲିୟନ୍‌ ଲୋକ ଦେଖି ସାରିଲେଣି। ୯.୬ ଲକ୍ଷ ଲାଇକ୍‌ ହୋଇ ସାରିଲାଣି। ତାଙ୍କ ଫଲୋୟର୍ସ ସଂଖ୍ୟା ୧୨ରୁ ଏବେ ୩୨,୫୦୦ରେ ପହଞ୍ଚି ଗଲାଣି।

ସେ ରାତାରାତି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ପାଲଟି ଯାଇଛନ୍ତି ବୋଲି ଆମେ କହିପାରିବା। ଅନ୍ୟ କର୍କଟ ରୋଗୀଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ବୋଲି କହି ଅନେକ ଟ୍ବିଟର୍‌ ବ୍ୟବହାରକାରୀ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର